ବିଜେପିକୁ କାମ ଦେବ ତ ମୋଦି ଗ୍ୟାରେଣ୍ଟି !

ବିଜେପିକୁ କାମ ଦେବ ତ ମୋଦି ଗ୍ୟାରେଣ୍ଟି !

ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ : ରାଜ୍ୟ ବିଧାନସଭାର ମର୍ଯ୍ୟାଦାପୂର୍ଣ୍ଣ ତଥା ସଂରକ୍ଷିତ ଆସନ ଭାବରେ କଟକ ବିଧାନସଭା ଆସନ ବିଜେଡିର ଗଡ ହୋଇଥିବା ବେଳେ ଚଳିତ ୨୦୨୪ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଏହି ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚିତ ହୋଇ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବେଳେ ଚଳିତ ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । 
ସୂଚନାଯୋଗ୍ୟ ଯେ କଟକ ସଦର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଅଧ୍ୟାପକ କାଳିନ୍ଦୀ ଚରଣ ବେହେରାଙ୍କ ସୁପୁତ୍ର ଚନ୍ଦ୍ରସାରଥି ବେହେରା ଲଗାତର ୨୦୧୪ରୁ ୨୦୧୯ନିର୍ବାଚନରେ ବିଜୟଲାଭ କରି କଟକସଦର ନିର୍ବାଚନ ମଣ୍ଡଳୀର ଚିତ୍ରୋତ୍ପଳା-ମହାନଦୀ ଦୀପାଞ୍ଚଳରେ ଥିବା ଗମନାଗମନ, ପାନୀୟଜଳ, କୃଷି, ଶିକ୍ଷା, ସମସ୍ୟା ସମାଧାନ କରିବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରିଥିବା ବେଳେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠକୁ ଉନ୍ନତିକରଣ ପାଇଁ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇ ପ୍ରାୟ ୨୫କୋଟି ଟଙ୍କା ଅନୁଦାନ କରାଇଛନ୍ତି । ତେବେ ଏହି ଦୀପାଞ୍ଚଳରେ ଥିବା ମଣିଜଙ୍ଗ, ବାବୁଜଙ୍ଗ, ମହମ୍ମଦପୁର, ଉତ୍ତରକୂଳ, ପାଳଦା, ସାନ୍ତପୁର, ବନ୍ଧୁପୁର, କଳମିଶ୍ରି, ଜନାର୍ଦ୍ଦନପୁର, ନେମାଳ ତିଳକଣା ଆଦି ପଞ୍ଚାୟତରେ କିଛିମାତ୍ରାରେ ଦଳୀୟ କନ୍ଦଳ ଥିଲେ ବି ଏହି କନ୍ଦଳକୁ ସୁଧାରିବା ପାଇଁ ଅଧ୍ୟାପକ କାଳିନ୍ଦୀଚରଣ ବେହେରାଙ୍କ ଧର୍ମପତ୍ନୀ ପ୍ରମିଳା ବେହେରା ଆପ୍ରାଣ ଉଦ୍ୟମ କରୁଥିଲା ବେଳେ ପଞ୍ଚାୟତରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକୁ ଶୀଘ୍ର ନଭୁଲିବା ପାଇଁ ବରିଷ୍ଠ ନେତାମାନେ ଉଦ୍ୟମ କରୁଥିବା ଦେଖାଯାଇଛି । ତେବେ କଟକ ବିଧାନସଭା ଆସନରୁ ୨୦୧୪-୨୦୧୯ରେ ବିଜେପି ଦଳରୁ ଦିଲ୍ଲୀପ ମଲ୍ଲିକ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲା ବେଳେ ଚଳିତ ନିର୍ବାଚନରେ ଇଂ.ପ୍ରକାଶ ସେଠୀ ଦଳୀୟ ଟିକେଟ ହାସଲ କରି ନିର୍ବାଚନ ମଇଦାନକୁ ଆସିଛନ୍ତି । ଶ୍ରୀ ସେଠୀ ଦୀର୍ଘ ୧ ବର୍ଷ ହେଲା ବିଜେପି ଦଳରେ ସଂଗଠକ ଭାବେ ସମଗ୍ର ଅଞ୍ଚଳରେ କାମ କରି ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ରାଜନୀତିରେ ପାରଙ୍ଗମ ଥିବା ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରାଙ୍କ ବୁଢୀଆଣି ଜାଲକୁ କିପରି ଭେଦ କରିବେ ତାହା ସାଧାରଣରେ ଆଲୋଚନା ହେଉଛି । ତେବେ ଲଗାତର ୫ଥର ବିଜେଡି ଦଳରୁ ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ଚଳିତ ନିର୍ବାଚନରେ ବିଜେପି ଦଳରୁ ସାଂସଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର କିଛି ପ୍ରଭାବ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କଂଗ୍ରେସ ଦଳରୁ ରାମଚନ୍ଦ୍ର ଗୋଚ୍ଛାୟତ କଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଯଦି ସକ୍ରିୟ ଭୂମିକା ଗ୍ରହଣ କରେ ତେବେ ବିଜେଡି ପାଇଁ କର ବା ମର ପରିସ୍ଥିତିକୁ ଏଡାଇ ଦିଆଯିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ବାଚନର ଦିନ ପ୍ରାୟ ୧ମାସ ବାକି ଥିବା ବେଳେ କଟକ ବିଧାନସଭା ଆସନରେ ଦିନକୁ ଦିନ ରଣ କୌଶଳ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି ।