ଡାଭୋସ୍ ବିଶ୍ୱ ଆର୍ଥିକ ସମ୍ମିଳନୀ ୨୦୨୫ : ଏଆଇ କ୍ଷେତ୍ରରେ ଦକ୍ଷଶୀଳ ହେବେ ୧୦ଲକ୍ଷ 

 ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ୍ର ଡାଭୋସ୍ ଠାରେ ଚାଲିଥିବା ବିଶ୍ୱ ଆର୍ଥିକ ମଞ୍ଚ ୨୦୨୫ରେ ଭାରତର ପ୍ରତିନିଧିତ୍ୱ ବେଶ ପ୍ରଶଂସିତ ହୋଇଛି । ସୂଚନା ଓ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ବିଶ୍ୱର ଶୀର୍ଷ ନେତୃବର୍ଗ ଏବଂ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ତାଙ୍କର ଉଦବୋଧନରେ ଭାରତର ସମାବେଶୀ ବିକାଶ ଦୃଷ୍ଟିକୋଣ ଏବଂ ଏହାର ଉଲ୍ଲେଖନୀୟ ଅଭିବୃଦ୍ଧି ଉପସ୍ଥାପନ କରିଛନ୍ତି । 
କେବଳ ଆମଦାନୀ ବିକଳ୍ପ ଉପରେ ଧ୍ୟାନ ଦେବା ଠାରୁ ଆରମ୍ଭ କରି ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ’ (ଭାରତରେ ନିର୍ମାଣ ବିଶ୍ୱ ପାଇଁ ନିର୍ମାଣ) ଆଭିମୁଖ୍ୟ ଗ୍ରହଣ କରିବା ପର୍ଯ୍ୟନ୍ତ ଭାରତର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ଭାରତରେ ବ୍ୟବହୃତ ୯୯% ମୋବାଇଲ ସ୍ୱଦେଶରେ ନିର୍ମିତ ହେଉଛି । ଔଷଧୀୟ ସାମଗ୍ରୀ, ରାସାୟନିକ, ପୋଷାକ ଆଦି କ୍ଷେତ୍ରରେ ବିକାଶ ରଣନୀତି ରପ୍ତାନି ଆଧାରିତ ଅଭିବୃଦ୍ଧି ଦିଗରେ ପରିବର୍ତ୍ତିତ ହୋଇଛି । ଭାରତର ଭବିଷ୍ୟତକୁ ରୂପ ଦେବାରେ, ନବସୃଜନକୁ ଆଗେଇ ନେବାରେ ଏବଂ ସୁଯୋଗ ସୃଷ୍ଟି କରିବାରେ ସେବା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରମୁଖ ଭୂମିକା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ବିଶ୍ୱରେ ଶିଳ୍ପ ପାଇଁ ଅଭିନବ ପ୍ରୟୋଗ ସୃଷ୍ଟି କରିବା ଲାଗି ବିଶ୍ୱର ‘ୟୁଜ୍ କେସ୍ କ୍ୟାପିଟାଲ୍’ ହେବା ପାଇଁ ଭାରତ ନିକଟରେ ଥିବା ସମ୍ଭାବନା ଉପରେ ସେ ଜୋର୍ ଦେଇଥିଲେ । ଏଆଇ ମଡେଲଗୁଡିକ ଅଧିକରୁ ଅଧିକ ବସ୍ତୁବାଦୀ ହେଉଥିବାବେଳେ, ବିଶ୍ୱ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରୁଥିବା ୟୁଜ୍ କେସ୍, ଆପ୍ଲିକେସନ୍ ଏବଂ ସମାଧାନର ବିକାଶ ଉପରେ ଧ୍ୟାନ ଦିଆଯିବା ଉଚିତ । ବିଶ୍ୱ ସ୍ତରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭବିଷ୍ୟତକୁ ରୂପ ଦେବା ଲାଗି ଭାରତର ସାମର୍ଥ୍ୟକୁ ପ୍ରତିପାଦିତ କରିଥିଲେ । ସେହିପରି ସେମିକଣ୍ଡକ୍ଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ଶ୍ରେଷ୍ଠ ତିନୋଟି ପ୍ରମୁଖ ଗନ୍ତବ୍ୟସ୍ଥଳ ମଧ୍ୟରେ ସାମିଲ ହେବ ବୋଲି କହିଥିଲେ ।