ଆସନ୍ତାକାଲି ୬ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ ଜିଲ୍ଲା ?
Raid Alert

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟିହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ । ଅତି ପ୍ରବଳ ବର୍ଷା ହେବାର ଥିବାରୁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଗଞ୍ଜାମ, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଅନୁଗୁଳ ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଂଟା ମଧ୍ୟରେ ତାହା ଘଂଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ଆଜି ସଂଧ୍ୟା ୮ଟା ବେଳକୁ ତାହା ପୁରୀର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୫୦ କିଲୋମିଟର ଦୂରରେ, ଗୋପାଳପୁରର ଦକ୍ଷିଣ ପୂର୍ବ ଦିଗରେ ୧୮୦ କିମି ଦୂରରେ ଓ ପାରାଦୀପର ୧୯୦ କିମି ଦୂରରେ ଏବଂ ଚାନ୍ଦବାଲିର ଦକ୍ଷିଣ ଦିଗରେ ୨୫୦ କିମି ଦୂରରେ ରହିଛି । ଆଗାମୀ ୧୨ ଘଂଟା ମଧ୍ୟରେ ତାହା ତୀବ୍ର ଅବପାତର ରୂପ ନେବ । ଆସନ୍ତାକାଲି ସକାଳ ୬ଟାରେ ଏହି ଅବପାତ ପୁରୀ ନିକଟରେ ଅତିକ୍ରମ କରିବ । ଏହାପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଏବଂ ଛତିଶଗଡ଼ ଆଡ଼କୁ ଗତି କରିବ ।