ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ?
Mohan Charan Majhi
ଭୁବନେଶ୍ୱର : ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସିଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଚାଷୀଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି ଯୋଜନା ସମ୍ପର୍କରେ ବି ଘୋଷଣା କରାଯାଇଛି ।
ସମ୍ବଲପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ମା’ ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ମିଶି ମନ୍ଦିର ପରିସରରେ ନବାନ୍ନ ଖାଇଥିଲେ ।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟର ସମସ୍ତ ଚାଷୀ ଭାଇଭଉଣୀମାନଙ୍କୁ କୃଷି କ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି । ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସାମଗ୍ରୀ ଯଥା; ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ । ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫ ଲକ୍ଷ ୫୭ ହଜାର ୭୩୩ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ । ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ୪ ହଜାର ଟଙ୍କା ପ୍ରଦାନ କରାଯିବ । ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ୨ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ ।