ଫସିଗଲେ ରାଜେନ୍ଦ୍ର ସାହୁ

Rajendra Sahu, BJD Khurda

ଫସିଗଲେ ରାଜେନ୍ଦ୍ର ସାହୁ

ଭୁବନେଶ୍ୱର : ସାରା ଦେଶ ଜାଣିଛି ଖୋର୍ଦ୍ଧା ହେଉଛି ପାଇକ ମାଟି  । ବୀରର ମାଟି  । ଏହାକୁ ନେଇ ଖୋର୍ଦ୍ଧାବାସୀ ଗର୍ବ ଅନୁଭବ କରନ୍ତି  । ହେଲେ ଖୋର୍ଦ୍ଧାରୁ ବାରବାର ବିଧାୟକ ହୋଇଥିବା ରାଜେନ୍ଦ୍ର ସାହୁଙ୍କ ପାଇଁ ଖୋର୍ଦ୍ଧା କିନ୍ତୁ ଚରଣଚୁତିଆ ମାଟି  । ଶଙ୍ଖ ଭବନରେ ରାଜେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଖୋର୍ଦ୍ଧା ଜିଲ୍ଲାରେ ତୀବ୍ର ଅସନ୍ତୋଷ ସୃଷ୍ଟିକରିଛି  ।

ପ୍ରଶାନ୍ତ ଜଗଦ୍ଦେବ ଓ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଗତ ଦେଢ଼ ଦଶନ୍ଧି ଧରି ଶୀତଳଯୁଦ୍ଧ ଜାରିରହିଛି  । ଏକଦା ଉଭୟ ଗୋଟିଏ ଦଳରେ ଥିଲେବି ଚେର କଟାକଟି ଚାଲିଥିଲା  । କିନ୍ତୁ ଏମିତି ସମୟ ଆସିଲା, ରାଜେନ୍ଦ୍ର ଓ ପ୍ରଶାନ୍ତ ସିଧାସଳଖ ମଇଦାନରେ ମୁହାଁମୁହିଁ ହୋଇଥିଲେ  । ଶଙ୍ଖ ଚିହ୍ନରୁ ରାଜେନ୍ଦ୍ର ଓ ପଦ୍ମ ଚିହ୍ନରେ ଗଣେଶ ଲଢ଼ିଥିଲେ  । ହେଲେ ଜଗଦ୍ଦେବଙ୍କ ଶକ୍ତି ଆଗରେ ରାଜେନ୍ଦ୍ରଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି  । ସେବେଠାରୁ ରାଜେନ୍ଦ୍ରଙ୍କ ମନ ଭଲ ନାହିଁ ବୋଲି ଚର୍ଚ୍ଚା ହେଉଛି  । ସେହିପରି ଗଣେଶଙ୍କୁ ଅନେକ ବିଜେଡ଼ି ନେତା ବି ସହଯୋଗ କରିଥିଲେ  । ଭିକେ ପାଣ୍ଡିଆନ କି ପ୍ରଣବ ପ୍ରକାଶ ଦାସଙ୍କୁ ସେ ଏନେଇ କହିଥିଲେ ବି କେହିକିଛି ଶୁଣିନଥିଲେ  । ତେଣୁ ରାଗରେ ରାଜେନ୍ଦ୍ର ମନକୁ ଯାହା ଆସିଲା ତାହା କହିଛନ୍ତି  । ଯାହାକି ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟିକରିଛି  । ବିଜେପି ପକ୍ଷରୁ ମଧ୍ୟ ରାଜେନ୍ଦ୍ରଙ୍କୁ କୁଶ ପୁତ୍ତଳିକା ଦାହ କରାଯାଇଛି  । 

ଶଙ୍ଖ ଭବନରେ ରାଜେନ୍ଦ୍ର କହିଥିଲେଯେ, ଦଳରେ ଯେଉଁମାନେ ରାତି ପାହିଲେ ବିଶୃଙ୍ଖଳିତ କାମ କରନ୍ତି ସେମାନଙ୍କୁ ପୁରସ୍କାର ଦିଆଯାଉଛି  । ବିଜେଡ଼ି କ’ଣ କାହାର ବୋପା ସମ୍ପତ୍ତି କି ? ବୋଲି ରାଜେନ୍ଦ୍ର ପ୍ରଶ୍ନ କରିଛନ୍ତି  । ଆମେ ବେପାରୀ ଘରର ପିଲା  । ଜିରୋରୁ ସଂଗଠନ କରି ଜିତିକି ଆସିଛୁ  । ଖୋର୍ଦ୍ଧା ମାଟିକୁ ଚରଣ ଚୁତିଆ ବୋଲି କୁହାଯାଏ  । ସାଙ୍ଗରେ ବୁଲୁଥିବା ଲୋକ ପଛପଟୁ ମାରିଦେବ  । ଆମ ସରପଞ୍ଚ, ସମିତିସଭ୍ୟ, ଅଧ୍ୟକ୍ଷ, କାଉନସିଲର ସବୁ ବିଜେପି ବିଧାୟକଙ୍କ ସହ ଯାଉଛନ୍ତି  । ଏଭଳି ଭାବେ ରାଜେନ୍ଦ୍ର କ୍ଷୋଭ ଝାଡ଼ିଛନ୍ତି  । 

ସେହିପରି ଗଣେଶଙ୍କ ନାଁ ନନେଇ କହିଥିଲେଯେ, ବିଜେପି ବିଧାୟକମାନେ ଟେକି ପକାଇବେ ବୋଲି ଆମ ବିଜେଡ଼ି ନେତା ଭାବୁଛନ୍ତି  । ତାଙ୍କୁ ଫୁଲତୋଡ଼ା ଦେଇ ନିମନ୍ତ୍ରଣ ଦେଉଛନ୍ତି  । ଆମେ ତମ ସହ ଅଛୁ ବୋଲି କହୁଛନ୍ତି  । ଏମାନେ କ’ଣ ପାଇକ ମାଟିର ନେତା  । ବୋଲି ରାଜେନ୍ଦ୍ର ପ୍ରଶ୍ନ କରିଛନ୍ତି  ।

ରାଜେନ୍ଦ୍ର ଭାବିଥିଲେ ତାଙ୍କ କଥା ପଦାକୁ ଆସିବନି  । ହେଲେ ତାଙ୍କ ଭାଷଣ ରେକଡର଼୍ିଂ ହେଉଥିଲା  । ଯାହା ଏବେ ଭାଇରାଲ ହେବାରେ ଲାଗିଛି  । ଫଳରେ ରାଜେନ୍ଦ୍ର ଅକଳରେ ପଡ଼ିଯାଇଛନ୍ତି  । ଏବେ ତାଙ୍କ ଅଡ଼ିଓ କିଏ ରେକଡର଼୍ିଂ କରିଛନ୍ତି ତାହା ଖୋଜିବାରେ ଲାଗିଛନ୍ତି  ।