ପଦ ହରାଇବେ ସରପଞ୍ଚ ତିଳୋତ୍ତମା 

Rajnagar News

ପଦ ହରାଇବେ ସରପଞ୍ଚ ତିଳୋତ୍ତମା 

।। ପ୍ରଭାନ୍ୟୁଜ୍‌ ।। ରାଜନଗର : ରାଜନଗର ବ୍ଲକର ବହୁ ଚର୍ଚ୍ଚିତ ବେଲପାଳ ପଞ୍ଚାୟତରେ ଅଢେଇବର୍ଷ ପରେ ସରପଞ୍ଚ ତିଳୋତମା ବରାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ୧୧ଟି ୱାର୍ଡକୁ ନେଇ ବେଲପାଳ(ଗ୍ରାମ) ପଞ୍ଚାୟତ ଗଠିତ । ଦୀର୍ଘଦିନ ହେବ ଏହି ପଞ୍ଚାୟତର ସରପଞ୍ଚଙ୍କୁ ଅଧିକାଂଶ ୱାର୍ଡ ସଭ୍ୟ ସଭ୍ୟାମାନେ ବିରୋଧ କରି ଆସୁଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ୮ଜଣ ୱାର୍ଡ ସଭ୍ୟ ସଭ୍ୟା କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିଲେ । ୧୧ତାରିଖ ବୁଧବାର ଦିନ ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ବେଲପାଳ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟଦାନ କରାଯାଇଥିଲା । ପ୍ରିଜାଡିଙ୍ଗ ଅଫିସର ଭାବରେ ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି, କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଭାବେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଜିପିଇଓ ଧର୍ମେନ୍ଦ୍ର ଦାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମମତା ମଲ୍ଲିକ, ଏଡିଇଓ ଦେବାଶିଷ ଦାସ ଯୋଗଦେଇଥିଲେ । ୧୧ଟି ୱାର୍ଡ ସଭ୍ୟଙ୍କ ସହ ସରପଞ୍ଚଙ୍କୁ ମିଶାଇ ୧୨ଜଣ ଅନାସ୍ଥା ଭୋଦଦାନରେ ଅଂଶଗ୍ରହଣ କରିବାକୁ ନୋଟିସ ଦିଆଯାଇଥିଲା । ଆଜିର ଅନାସ୍ଥା ଭାଟରେ ୮ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ସହ ସରପଞ୍ଚ ଉପସ୍ଥିତ ହୋଇ ଭୋଟ ଦେଇଥିଲେ । ବୁଥରେ ଭୋଟ ଗଣତି ହୋଇଥିଲା । ୮ ଜଣ ୱାର୍ଡ ସଭ୍ୟ ସଭ୍ୟା ସରପଞ୍ଚ ତିଳୋତମାଙ୍କ ବିରୁଦ୍ଧରେ ଭୋଟ ଦେଇଥିବା ବେଳେ ସରପଞ୍ଚ ଶ୍ରୀମତୀ ବରାଳ ନିଜ ଭୋଟ ଖଣ୍ଡକ ନିଜକୁ ଦେଇଥିଲେ । ଆଜିର ଏହି ଅନାସ୍ଥା ଭୋଟ ପରେ ସରପଞ୍ଚ ଶ୍ରୀମତୀ ବରାଳ ପଦ ହରାଇବା ନେଇ ସ୍ପଷ୍ଟ ହୋଇଯାଇଛି । କେବଳ ସରକାରୀ ଘୋଷଣା ବାକି ରହିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏସଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ଅଜୟ କୁମାର ଜେନା, ସବଇନ୍ସିପେକ୍ଟର ସୌମ୍ୟରଞ୍ଜନ ଜାଲିଙ୍କ ସହ ଫୋର୍ସ ମୁତୟନ ହୋଇଥିଲେ । ସୂଚନା ଥାଉକି, ସରପଞ୍ଚ ଶ୍ରୀମତୀ ବରାଳ ଓ ତାଙ୍କ ସ୍ୱାମୀ ଅଜୟ କୁମାର ଲେଙ୍କା ବିଧାୟକ ଧୃବ ସାହୁଙ୍କର ଅନୁଗତ ଭାବରେ ପରିଚିତ ଥିଲେ । ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ବିଧାୟକ ଶ୍ରୀ ସାହୁଙ୍କ ନିଜ ଗ୍ରାମ ତଥା ପଞ୍ଚାୟତରେ  ତାଙ୍କ ଇଛା ବିରୁଦ୍ଧରେ ତିଳୋତମା ସରପଞ୍ଚ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ବିଧାୟକଙ୍କ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପରାଜିତ ହୋଇଥିଲେ । ସେବେଠାରୁ ବିଧାୟକଙ୍କ ସମର୍ଥକ ଓ ସରପଞ୍ଚଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏପରିକି ସରପଞ୍ଚ ଶ୍ରୀମତୀ ବରାଳ ଓ ତାଙ୍କ ସ୍ୱାମୀ ଶ୍ରୀ ଲେଙ୍କା ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୁ ଜନତାଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ  ।