ଯୋଗଜନ୍ମା ରତନ

ଭାରତୀୟ ଶିଳ୍ପ ଜଗତର ସବୁଠାରୁ ଉଜ୍ଜ୍ୱଳତମ ରତ୍ନ, ଦେଶର ଗର୍ବ ଓ ଗୌରବ ରତନ ଟାଟାଙ୍କ ପରଲୋକ ସହିତ ଏକ ଯୁଗର ଅବସାନ ଘଟିଛି । କୁହାଯାଏ ଧରାପୃଷ୍ଠକୁ ସେ ଆସିଥିଲେ ଜଣେ ସାଧାରଣ ବ୍ୟକ୍ତି ଭାବରେ କିନ୍ତୁ ଜଣେ ଅନୁଷ୍ଠାନ ହୋଇ ସେ ବିଦାୟ ନେଇଛନ୍ତି ଆମ ମାନଙ୍କ ଠାରୁ । ଟାଟା ଗ୍ରୁପକୁ ବିଶ୍ୱକୁ ପରିଚିତ କରିବାରେ ସେ ଥିଲେ ପ୍ରମୁଖ ସିଦ୍ଧହସ୍ତ ଓ ବ୍ୟବସାୟରେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ । ସାରା ଜୀବନ ଅବିବାହିତ ରହି ସବୁବେଳେ ଲୋକମାନଙ୍କ ମଙ୍ଗଳ ପାଇଁ ସେ ହିଁ ଚିନ୍ତା କରୁଥିଲେ । ଭାରତୀୟ ଶିଳ୍ପକୁ ବିଶ୍ୱ ବନ୍ଦିତା କରିବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । କେବଳ ସେତିକି ନୁହେଁ ଟାଟା କମ୍ପାନୀକୁ ଅପହଞ୍ଚ ଦୂରତାରେ ପହଞ୍ଚାଇଥିବା ଏହି ବିଶିଷ୍ଟ ଶିଳ୍ପପତି ତାଙ୍କ କମ୍ପାନୀର ତମାମ ଲାଭର ପ୍ରମୁଖ ଭାଗ ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟାଙ୍କୁ ଭଲ ପାଉଥିବା ଲୋକମାନଙ୍କର ଶ୍ରଦ୍ଧା ଯେ କେଉଁପରି ତାହା ତାଙ୍କ ଅନ୍ତିମ ଯାତ୍ରା ବେଳେ ପ୍ରମାଣିତ ହୋଇଛି । ଜଣେ ଉଦ୍ୟୋଗୀ ନୁହେଁ ବରଂ ପ୍ରକୃତ ଭାରତୀୟକୁ ହରାଇଲା ଆମ ଦେଶ । ସମସ୍ତେ ସେହି ମହାନ ପୁରୁଷ, ପରୋପକାରୀ ଓ ଦାନବୀରଙ୍କ ବିୟୋଗରେ ପ୍ରଶଂସମୁଖର ହୋଇଛନ୍ତି । 
୧୯୩୭ରେ ଟାଟା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ମାତ୍ର ଦଶ ବର୍ଷ ବୟସ ବେଳେ ପିତା ମାତା ଅଲଗା ହୋଇଯାଇଥିଲେ । ଜେଜେମାଙ୍କ ଦ୍ୱାରା ତାଙ୍କ ବାଲ୍ୟକାଳ ବଢ଼ିଥିଲା । ପରବର୍ତ୍ତୀ ସମୟରେ ସୁନାମଧନ୍ୟ ହାର୍ଭାଡ଼ ଆଡ଼ଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଏବଂ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ ନିମ୍ନ ପଦବୀରେ ରହି ନିଜ କ୍ୟାରିୟର ତିଆରି କରିବା ଆରମ୍ଭ କରିଥିଲେ । କଠିନ ପରିଶ୍ରମ ବଳରେ ୧୯୭୧ରେ ସେ ନେଲକୋର ନିଦେ୍ର୍ଦଶକ ହୋଇଥିଲେ । ତେବେ ଓଡ଼ିଶା ସହ ତାଙ୍କର ବିଶେଷ ସମ୍ପର୍କ ଓ ଓଡ଼ିଶା ବିକାଶରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି । ତାଙ୍କ ଜୀବନକାଳ ଭିତରେ ଅନେକଥର ସେ ଓଡ଼ିଶା ଆସିଛନ୍ତି । ତାଙ୍କର ଓଡ଼ିଶା ପ୍ରତି ଅକୁଣ୍ଠ ଭଲ ପାଇବାର ବଡ଼ ପ୍ରମାଣ ରହିଛି । ଯାଜପୁର କଳିଙ୍ଗନଗରର ଇସ୍ପାତ କାରଖାନାର ପରବର୍ତ୍ତୀ ସମୟରେ ଗୋପାଳପୁରରେ ଏସଇଜେଡ଼ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଅନେକ ଲୋକଙ୍କ ଜୀବନଧାରାକୁ ବଦଳାଇ ପାରିବାରେ ସକ୍ଷମ ହୋଇପାରିଥିଲେ । ୧୯୯୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହରାଓଙ୍କ ସହ ଗୋପାଳପୁର ଇସ୍ପାତ କାରଖାନାର ଭିତ୍ତି ପ୍ରସ୍ଥର ଉଦଘାଟନ କରିଥିଲେ । ଏହାପରେ ବସ୍ତି ବାସିନ୍ଦାଙ୍କ ଉନ୍ନତିକଳ୍ପେ ୨୦୦୮ରେ ଟାଟା କମ୍ପାନୀ ଓଡ଼ିଶା ସରକାରଙ୍କ ସହ ମିଶି ଜାଗା ମିଶନ ଲାଗି କାର୍ଯ୍ୟକ୍ରମ ହାତକୁ ନେଇଥିଲା । କେବଳ ସେତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଟାଟା ଟ୍ରଷ୍ଟ ଓଡ଼ିଶାରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଦକ୍ଷତା ବିକାଶ ଭଳି କ୍ଷେତ୍ର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା । ମହାବାତ୍ୟା ଓ ଫନି ସମୟରେ ଟାଟା ଟ୍ରଷ୍ଟ ଓ ଟାଟା କମ୍ପାନୀ ଓଡ଼ିଶାର ପୁନରୁଦ୍ଧାରରେ ସହଯୋଗର ହାତ ବଢ଼ାଇଥିଲେ । ତାଙ୍କର ସବୁଠାରୁ ବଡ଼ ସହଯୋଗ ହେଉଛି କଳିଙ୍ଗନଗର ଇସ୍ପାତ କାରଖାନା ।  ଜଣେ ଶାନ୍ତ, ଭଦ୍ର, ନମ୍ର ଓ ବିନମ୍ର ବ୍ୟବହାର ତଥା ଆଚରଣର ମୁକ୍ତିମନ୍ତ ପ୍ରତୀକ ଥିଲେ ରତନ ଟାଟା । ତାଙ୍କ ତମାମ ଜୀବନ ଭିତରେ କୌଣସି ସାମାନ୍ୟତମ ବିବାଦତ ଦୂରର କଥା କାହାଙ୍କୁ ତିଳେମାତ୍ର ଖରାପ ବ୍ୟବହାର ଦେବାର କେହି କେବେ ଦେଖି ନାହାଁନ୍ତି । କେବଳ ନିଜ କମ୍ପାନୀର ଛୋଟ କର୍ମଚାରୀ ନୁହଁନ୍ତି ବୟସରେ କମ ହୋଇଥିବା ଲୋକଙ୍କୁ ମଧ୍ୟ ସେ ସମ୍ମାନ କରୁଥିଲେ । ସେମାନଙ୍କର ସୁବିଧା ଅସୁବିଧା ବୁଝି ଯଥା ସମ୍ଭବ ସାହାଯ୍ୟ କରୁଥିଲେ । ତାଙ୍କ ବକ୍ତବ୍ୟ ଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତାଙ୍କ କଥା ଗୁଡ଼ିକ ଏକ ଏକ ଜୀବନ ଚେତନାର ବାଣୀ କହିଲେ ଅତୁ୍ୟକ୍ତି ହେବନାହିଁ । ତାଙ୍କ ବକ୍ତବ୍ୟ ଥିଲା - "ସଫଳତା କେବଳ ଜଣେ ବ୍ୟକ୍ତି ନୁହେଁ, ଅନେକ ଲୋକଙ୍କ ହେବା ଦରକାର । କୌଣସି କାମ ଏକାକୀ ଆରମ୍ଭ କର କିନ୍ତୁ ତାହା ଯେତେବେଳେ ବହୁତ ବଡ଼ ସଫଳତା ପାଇବ ସେଥିରେ ଶହ ଶହ ଲୋକ ଉପକୃତ ହେବା ଦରକାର । କାମକୁ ସବୁବେଳେ ପୂଜା କର ଆଉ କାମକୁ ସର୍ବଦା ସମ୍ମାନ ପ୍ରଦାନ କର ।' ଟାଟା ଗ୍ରୁପର ବ୍ୟବସାୟକୁ ୩୬୫ ବିଲିୟନ ଡଲାରରେ ପହଞ୍ଚାଇ ତାଙ୍କ ଗ୍ରୁପ ଅଧୀନରେ ୩୦ଟି କମ୍ପାନୀର ୧୦ ଲକ୍ଷରୁ ଅଧିକ ଲୋକ ଚାକିରି କରିଛନ୍ତି । କହିବାକୁଗଲେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ହେଉଛି ୩୮ଶହ କୋଟି ଟଙ୍କା । କିନ୍ତୁ ନିଜ ଆୟର ୬୬% ରାଶି ଟାଟା ଟ୍ରଷ୍ଟକୁ ଦାନ କରୁଛନ୍ତି ।  ତାଙ୍କ ସଚ୍ଚୋଟତା, କରୁଣାଭରା ବ୍ୟକ୍ତିତ୍ୱ ଭବିଷ୍ୟତ ପିଢ଼ୀର କର୍ପୋରେଟ, ଉଦ୍ୟୋଗୀ ଓ ଭାରତୀୟ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ତାଙ୍କ ଭଳି କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସର୍ବଦା ଅମର । ତାଙ୍କ ଜୀବନ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣା ହେବ ଓ ସେ ଆମ ହୃଦୟରେ ବଞ୍ଚô ରହିବେ । ତାଙ୍କର ରାଷ୍ଟ୍ର ଗଠନର ପରମ୍ପରା ନୂଆ ପିଢ଼ୀକୁ ପ୍ରେରଣା ଯୋଗାଇବା ସହ ଉଲ୍ଲେଖନୀୟ ଜୀବନଯାତ୍ରା କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇବ । 
ବିପିନ ବିହାରୀ ରାଉତ କଟକ,