ଇଂ.ସଚ୍ଚିଦାନନ୍ଦ ନନ୍ଦ : ଅପୌରୁଷେୟ, ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ । ଏହା ପରମାତ୍ମାଙ୍କ ଅମୃତ ବାଣୀ । ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର । ଏଥିରେ ଥିବା ଈଶ୍ୱର ପ୍ରଦତ୍ତ ଦିବ୍ୟଜ୍ଞାନ ପୃଥିବୀର ଅନ୍ୟ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେନାହିଁ । ବେଦର ଶିକ୍ଷା, ବେଦର ଆଦର୍ଶ ଅତୀବ ମହାନ, ଦୈନନ୍ଦିନ ଜୀବନରେ ପାଳନ ସାପେକ୍ଷ । ଏହି ଶିକ୍ଷାକୁ ଯଦି କିଞ୍ôଚତ ପରିମାଣରେ ଜନ ସମକ୍ଷରେ ପହଞ୍ଚାଇ ହୁଏ ତାହା ଜନ ସମାଜ ପାଇଁ ଅଶେଷ ମଙ୍ଗଳଦାୟକ ହେବ । ଏହା ଏକ ଆଧ୍ୟାତ୍ମିକ ସେବା ଭାବେ ପରିଣତ ହେବ । ଏହି ଅବଲମ୍ବନରେ ଅନେକ ଭାରତୀୟ ନିଜ ଜୀବନକୁ ଶୁଦ୍ଧ, ପବିତ୍ର ଓ ଶାସ୍ତ୍ରୀୟ କରି ପ୍ରଭୂତ ଉପକାର ଲାଭ କରିଛନ୍ତି । ଏହା ସର୍ବକାଳୀନ ହୋଇଥିବାରୁ ବର୍ତ୍ତମାନ ମଧ୍ୟ ଏହାର ଅବଲମ୍ବନରେ ଜଣେ ମହାନ ଗୁଣର ଅଧିକାରୀ ହୋଇପାରିବ । ଏହି ଜ୍ଞାନ ପରିବାର କ୍ଷେତ୍ରରେ ଉପଯୋଗ କରି ଯେଉଁମାନ ମହାନ ହୋଇପାରିଥିଲେ ତନ୍ମ୍ମରୁ ଅଗାଧ ଓ ଅସୀମ ପ୍ରତିଭାର ଅଧିକାରୀ, ତାଙ୍କ ସମୟର ସର୍ବୋଚ୍ଚ ଶିକ୍ଷାବିତ୍ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଭାରତରେ ତଥା ବହୁ ବିଦେଶରେ ନିଜ ପାଣ୍ଡିତ୍ୟର ପରିଚୟ ଦେଇ ଆମ ଦେଶ ସଂସ୍କୃତି ଓ ଭାରତୀୟ ଜ୍ଞାନର ଉପଯୁକ୍ତ ପରିଚୟ ନିଜ କର୍ମ ମାଧ୍ୟମରେ ପ୍ରଦାନ କରିପାରିଥିଲେ । ତାଙ୍କ ବାଲ୍ୟକାଳରୁ ନିଜ ପରିବାରରୁ ସେ ବୈଦିକ ଜ୍ଞାନର ଅଧିକାରୀ ହୋଇଥିଲେ । ତାଙ୍କ ପିତାମାତା ଏ ବାବଦରେ ତାଙ୍କ ଆଦର୍ଶ ଥିଲେ । ସେ ସମଗ୍ର ପୃଥିବୀ ବାସୀଙ୍କ ଉଦ୍ଦେଶ୍ୟରେ କହୁଥିଲେ - “ତୁମେ କେତେ ଜ୍ଞାନର ଅଧିକାରୀ ତାହାର ଏକ ମୁକୁଟ କରି ମଥାରେ ପିନ୍ଧି ବୁଲିଲେ ତାହା ଜ୍ଞାନର ସଠିକ ପ୍ରଚାର ହୋଇପାରିବ ନାହିଁ, ତୁମର ଆଚରଣ ଓ ବ୍ୟବହାର ହିଁ ତୁମ ଜ୍ଞାନର ପ୍ରକୃତ ପରିଚୟ ।’
ଏହି ଲେଖା ପ୍ରସ୍ତୁତ କରିବା ପୂର୍ବରୁ ବେଦ ପୃଷ୍ଠା ଓଲଟାଇଲାବେଳେ ସେହି କଥା ବେଦରୁ ମଧ୍ୟ ଦେଖିବାକୁ ମିଳିଲା । ଡକ୍ଟର ରାଧାକ୍ରିଷ୍ଣନ ବାଲ୍ୟ କାଳୁ ତାଙ୍କ ପରିବାରରୁ ବୈଦିକ ସଂସ୍କାର ପାଇଥିଲେ ଯେଉଁଥିରେ ତାଙ୍କ ଶୁଦ୍ଧ ଆଚରଣ ଓ ବ୍ୟବହାରରେ ଅତୀବ ସନ୍ତୁଷ୍ଟ ହୋଇ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କ ଡାକି ଆଣି ଦେଶର ସୁନାମ ବଢ଼ାଇବା ଲକ୍ଷ୍ୟରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ କରାଇଥିଲେ । ସେ ନିଜର ବିଦ୍ୟା ଓ ଗୁଣର ପରିଚୟ ଦେଇ ପ୍ରଥମେ ଉପରାଷ୍ଟ୍ରପତି ଓ ପରେ ରାଷ୍ଟ୍ରପତି ପଦ ଅଳଂକୃତ କରିପାରିଥିଲେ । ସେହି ବେଦଜ୍ଞାନରୁ କିଛି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ କରିବାର ସୁଯୋଗକୁ ସଦ୍ ବ୍ୟବହାର କରାଯାଉଛି । ବେଦ କହନ୍ତି - “ଯଥା ନଃ ଇଜ୍ଜନୋଽନମୀବଃ ।’ - ଯଜୁ ୩୩/୮୨ ଅର୍ଥ - ଆମେ ପରସ୍ପର ସହିତ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରିବା । ସଜ୍ଜନମାନଙ୍କର ବ୍ୟବହାର, ଉଦାରତା, ସହାୟତା ଏବଂ ସ୍ନେହପୂର୍ଣ୍ଣ ହୋଇଥାଏ । “ଓଁ ଦେବାନାମପି ପନ୍ଥାମନ୍ଥ’ - ଅଥର୍ବ ୧୧/୫୯/୩, ଅର୍ଥ - ଯେଉଁ ପଥରେ ସଜ୍ଜନମାନେ ଯାଆନ୍ତି ସେହି ମାର୍ଗରେ ଚାଲ । ଉଦ୍ଦଣ୍ଡ ଓ ଅନୀତି ପଥରେ ଗଲେ ଦୁଃଖ ମିଳେ । “ଭଦ୍ରଂ ଭବାତି ନଃ ପୁରଃ’ - ଅଥର୍ବ ୫୦/୨୦୬, ଅର୍ଥ - ସୌଜନ୍ୟ ଆମର ପ୍ରଧାନ ନୀତି ହେଉ । ସଜ୍ଜନଗଣ ନିଜ ସ୍ୱାର୍ଥ ନ ଦେଖି ଅନ୍ୟର ସ୍ୱାର୍ଥ ପ୍ରଥମେ ଦେଖିଥାନ୍ତି । “ଦ୍ୟସତ୍ କୃଣୋଷ୍ୟଧ୍ୱରମ୍’ - ଋଗ୍ ୧/୭୪/୪, ଅର୍ଥ - ସଜ୍ଜନମାନେ ସତ୍ କର୍ମରେ ସାହାଯ୍ୟ କରିଥାନ୍ତି । ସତ୍ କର୍ମରେ ସାହାଯ୍ୟ କରିବା ସଜ୍ଜନମାନଙ୍କର ଆବଶ୍ୟକ କର୍ତ୍ତବ୍ୟ ଅଟେ । “ମଧୁମତୀଃ ମଧୁ ମତୀଭିଃ ସଂପୃଚ୍ୟନ୍ତାଂ’ - ଯଜୁ ୧/୨୧, ଅର୍ଥ - ମଧୁର ବାଣୀ କହ, ମିଷ୍ଟଭାଷୀଙ୍କ ସହିତ ରହ । ଯେଉଁମାନେ ମଧୁର ବ୍ୟବହାର କରନ୍ତି ତାଙ୍କ ପାଇଁ ସମସ୍ତେ ଆପଣାର ହୋଇଯାଆନ୍ତି । ଘୃତାତ ସ୍ୱାଦୀୟୋ ମଧୁନଶ୍ଚ ବୋଚତ’ - ଅଥର୍ବ ୨୦/୬୫/୨, ଅର୍ଥ - ଘୃତ ପରି ଉପକାରୀ ଓ ମହୁ ପରି ମିଠା କଥା କହ । ଯେଉଁମାନେ ମିଷ୍ଟ ବଚନର ମହତ୍ୱ ବୁଝି ପାରିଛନ୍ତି ସେମାନେ ସବୁଠାରେ ସଫଳ ହୋଇଥାନ୍ତି । “ଅନ୍ୟୋ ଅନ୍ୟସ୍ୟୈ ବଲ୍ଗୁ ବଦନ୍ତ’ - ଅଥର୍ବ ୩/୩୦/୬, ଅର୍ଥ - ପରସ୍ପର ମଧ୍ୟରେ ମଧୁର ବଚନ ବିନିମୟ କର । ମଧୁର ବାଣୀ କହିଲେ କଳହ କମ ହୁଏ ଓ ପ୍ରେମଭାବ ବୃଦ୍ଧି ପାଏ । “ଅସ୍ୟ ସୂନୃତା ବିରପଶୀ ଗୋମତୀ ମହୀ’ - ଋଗ୍ ୧/୩/୮/୮, ଅର୍ଥ - ଯେଉଁ ବାଣୀରେ ସମସ୍ତଙ୍କ ହିତ ହେବ ସେପରି ବାଣୀ କହ । କାହାରି ଅହିତ ହେଲାଭଳି କଥା କହ ନାହିଁ । “ଶଂ ନଃ ସତ୍ୟସ୍ୟ ପତୟୋ ଭବନ୍ତୁ’ - ଅଥର୍ବ ୧୯/୧୭/୧, ଅର୍ଥ - ସତ୍ୟବ୍ରତଧାରୀ ହିଁ ସର୍ବତ୍ର ସୁଖ ଶାନ୍ତି ଉତ୍ପନ୍ନ କରିଥାନ୍ତି । ନିଜେ ସୁଖୀ ରହିବା ଓ ଅନ୍ୟକୁ ସୁଖ ଦେବା କେବଳ ସତ୍ୟ ମାର୍ଗ ଦ୍ୱାରା ହିଁ ସମ୍ଭବ ହୋଇଥାଏ । “ତମୋ ବ୍ୟସ୍ୟ’ - ଅଥର୍ବ ୧୨/୩/୧୨, ଅର୍ଥ - ଅନ୍ଧକାରରେ ପଡ଼ି ରହନାହିଁ । ଯେଉଁ ବ୍ୟକ୍ତି ଅଜ୍ଞାନ ଓ ଆଳସ୍ୟର ଅଧୀନ, ସେ ଅନ୍ଧକାରରେ ରହିଯିବ । “ଭଦ୍ରଂ କର୍ଣ୍ଣେଭିଃ ଶୁଣୁୟାମ’ - ଯଜୁ ୩୦, ଅର୍ଥ - କାନରେ ଭଲ କଥା ଶୁଣ । ଅନ୍ୟର ନିନ୍ଦା ବା ତ୍ରୁଟି ଶୁଣି ନିଜର ସମୟ ନଷ୍ଟ କରନାହିଁ । “ଧୂୟାସଂ ମଧୁ ସଂଦୃଶଃ’ - ଯଜୁ ୩୭, ଅର୍ଥ - ମଧୁରତାର ମୂର୍ତ୍ତିମାନ ପ୍ରତିମା ହୁଅ । କେବଳ ବାଣୀରେ ନୁହେଁ, ବ୍ୟବହାରରେ ମଧ୍ୟ ମଧୁରତାର ସମାବେଶ କର । “ମିତ୍ରସ୍ୟାହଂ ଚକ୍ଷୁସା ସର୍ବାଣି ଭୂତାନି ସମୀକ୍ଷେ’ - ଯଜୁ ୩୬/୧୮, ଅର୍ଥ - ସବୁ ପ୍ରାଣୀମାନଙ୍କୁ ମିତ୍ର ଦୃଷ୍ଟିରେ ଦେଖିବା ଆବଶ୍ୟକ ।
କୌଣସି ପ୍ରାଣୀକୁ ନୁହେଁ ବରଂ ତାହାର କୁକର୍ମକୁ ଘୃଣା କର । “ଜ୍ୱିହା ମେ ମଧୁମତ୍ତମା’ - ତୈତରୀୟ ୧/୪, ଅର୍ଥ - ମୋ ଜିହ୍ୱା ମିଷ୍ଟ ବଚନ କହୁ । କଟୁ କର୍କଶ ଓ କୁବଚନ କହି ବାଣୀକୁ ଦୂଷିତ କରନାହିଁ । “ମଧୁମନ୍ମେ ନିକ୍ରମଣ ମଧୁମନ୍ମେ ପରାୟଣମ୍’ - ଅଥର୍ବ ୧/୩୪/୩, ଅର୍ଥ - ଯିବା ଆସିବା ସମୟରେ ମଧୁରତା ବର୍ଷା କର । ଯେଉଁଠାକୁ ଯାଅ ସେଠାରେ ପ୍ରେମ ବିସ୍ତାର କର । ଯେଉଁଠାରୁ ଆସ ସେଠାରେ ମଧୁର ସ୍ମୃତି ଛାଡ଼ି ଆସ । “ତେ ହେଲୋ ବରୁଣ ନମୋଭି’ - ଋଗବେଦ ୧/୨୪/୬/୧୪, ଅର୍ଥ - ନମ୍ରତା ଦ୍ୱାରା କ୍ରୋଧକୁ ଶାନ୍ତ କର । କ୍ରୋଧୀ ବ୍ୟକ୍ତି ଏକ ପ୍ରକାର ରୋଗୀ । ତା’ ଉପରେ ବିରକ୍ତି ହୁଅନାହିଁ, ଦୟା କର । “ମା ଯୁଷ୍କହି ମନସା ଦୈବ୍ୟେନ’ - ଅଥର୍ବ ୭/୫୨/୨, ଅର୍ଥ - ଦିବ୍ୟ ମନକୁ ଲଢ଼ାଇ ଝଗଡ଼ାରେ ଲିପ୍ତ କରନାହିଁ । ମନର ଦିବ୍ୟ ଭାବର ଉପଯୋଗ ଦ୍ୱେଷ ନୁହେଁ, ପ୍ରେମ ଅଟେ । “ମା ବିୟୌଷ୍ଟ’ - ଅଥର୍ବ ୩/୩୦/୫, ଅର୍ଥ - ବିଭେଦ ବଢ଼ାଅ ନାହିଁ । ଭାଙ୍ଗି ଯାଇଥିବା ଜିନିଷକୁ ତିଆରି କର । ଅଭିମାନ କରିଥିବା ଲୋକର ମାନ ଭଞ୍ଜନ କର । “ନା ନୋ ଦ୍ୱିକ୍ଷତ କଶ୍ଚନ’ - ଅଥର୍ବ ୧୨/୧/୧୮, ଅର୍ଥ - କାହା ପ୍ରତି ଆମର ଶତ୍ରୁତା ନ ରହୁ । ଯେଉଁଠାରେ ଶତ୍ରୁଭାବ ରହେ, ସେଠାରେ ନିଅାଁ ଜଳେ । “ସହଭାକ୍ଷାଃ ସ୍ୟାୟ’ - ଅଥର୍ବ ୬/୪୭/୧, ଅର୍ଥ - ମିଳିମିଶି ଭୋଜନ କର । ଅଲଗା ଖାଇବା ନୀଚତାର ଚିହ୍ନ । “ସତ୍ୟାୟବିବ ସଚାବ ହୈ’ - ଅଥର୍ବ ୨/୪୨/୧, ଅର୍ଥ - ପରସ୍ପର ମିତ୍ର ଭଳି ରହ । ସାଥି ମାନଙ୍କ ସହ ମିତ୍ର ଭଳି ବ୍ୟବହାର କର ।
ବୈଦିକ ନୀତି ଅନୁଯାୟୀ ଜୀବନଯାପନ କଲେ ସର୍ବଶ୍ରେଷ୍ଠ ଫଳ ଲାଭ ହେବ, କାରଣ ବୈଦିକ ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ । ଭାରତର ପୂର୍ବ ଐତିହ୍ୟ, ଭାରତୀୟ ସଂସ୍କୃତିର ମୂଳାଧାର ବେଦ ଭଗବାନଙ୍କ ଦ୍ୱାରା ଋଷିମାନଙ୍କ ଜରିଆରେ ସମଗ୍ର ମାନବ ଜାତିର ଉଦ୍ଧାରଣ ପାଇଁ ପ୍ରଦତ୍ତ । ତାହାର ପୁନରୁଦ୍ଧାର କରିବା ପାଇଁ ଭଗବାନ ବାବା ଯେଉଁ ସଂକଳ୍ପ କରିଥିଲେ, ଯାହାକୁ ଅଗ୍ରଗତି ଦେଇ ସମ୍ପୂର୍ଣ୍ଣ ଅଜ୍ଞ ଓ ଅଚେତନ ମାନବକୁ ବୈଦିକ ମନ୍ତ୍ରର ସ୍ପର୍ଶ ଦେଇ ସଚେତନ କରିଥିଲେ, ତାହାକୁ ଆଗକୁ ଆଗକୁ ନେବା ପାଇଁ ଆମ୍ଭ ମାନଙ୍କୁ ଦାୟିତ୍ୱ ଦେଇଥିଲେ, ତାହା ସମ୍ଭବ ହୋଇପାରିବ, ଆମେ ବୈଦିକ ଜ୍ଞାନ ଓ ଉପଦେଶର ପ୍ରସାର ଓ ବ୍ୟବହାର କରାଇ ପାରିଲେ । ଭଗବାନଙ୍କ ତୃପ୍ତି ଓ ଆମ ଜୀବନର ଅଗ୍ରଗତି ଲକ୍ଷ୍ୟରେ ଧୀରେ ଧୀରେ ଅଗ୍ରସର ହେବା ବିଜ୍ଞତାର ପରିଚୟ ହେବ । ଆସନ୍ତୁ, ଆମ୍ଭେମାନେ ହାତକୁ ହାତ ମିଳାଇ ଭଗବାନଙ୍କୁ ସଂକଳ୍ପକୁ ସାକାର କରିବା ପାଇଁ ସବୁମନ୍ତେ କରିବାର ପ୍ରୟାସ ଜାରି ରଖିବା ।
ମୋ: ୯୩୩୭୨୪୨୯୫୫