ବଡ଼ଖବର : ରତ୍ନଭଣ୍ଡାରରେ ନାହିଁ ସୁଡଙ୍ଗ
Ratnabhandar
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୧୮ା୯ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ କିଛି ସୁଡ଼ଙ୍ଗ କି ରତ୍ନ ଅଳଙ୍କାର ଅଛି କି ନାହିଁ ଜାଣିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ନେତୃତ୍ୱରେ ପ୍ରାରମ୍ଭିକ ଯାଞ୍ଚ କରାଯାଇଛି । ବାହାର ଓ ଭିତର ରତ୍ନଭଣ୍ଡାର ଭର୍ଟିକାଲ ଓ ହରାଇଜେଣ୍ଟାଲ ଲେଜର ସ୍କାନିଂ ଦୀର୍ଘ ୪ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି କରାଯାଇଥିଲା । ଫିଜିକାଲ ଅନୁଧ୍ୟାନରୁ ଏଥିରେ କୌଣସି ସୁଡ଼ଙ୍ଗ ଥିବା ସୂଚନା ମିଳିନାହିଁ । ତେବେ ଜିପିଆର୍ଏସ୍ ସର୍ଭେ ପରେ ଚିତ୍ର ସ୍ପଷ୍ଟ ହେବ ।
ଏନ୍ଜିଆର୍ଆଇ ଟିମ୍ ଖୁବ୍ ଶୀଘ୍ର ଜିପିଆରଏସ୍ ସର୍ଭେ କରିବ । ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବା ସହ ଫିଜିକାଲ ଯାଞ୍ଚରେ କାନ୍ଥ ଓ ଚଟାଣ ପରୀକ୍ଷା କରାଯାଇଛି । ତେବେ ଆହୁରି ରାଡ଼ାର ସର୍ଭେ ଆବଶ୍ୟକତା ଥିବାରୁ ପୁଣି ଥରେ ସର୍ବେକ୍ଷଣ କରାଯିବ । ସର୍ବେକ୍ଷଣ ପରେ ଏଏସ୍ଆଇ ରିପୋର୍ଟ ଦେବ ଏବଂ ବିଶେଷଜ୍ଞମାନଙ୍କ ମତାମତ ନିଆଯିବ । ପ୍ରଥମ ୩ଟି ପର୍ଯ୍ୟାୟରେ ବାହାର ଓ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯିବା ସହ ସମସ୍ତ ରତ୍ନ ଅଳଙ୍କାର ଏବଂ ଖାଲି ହୋଇଥିବା ସିନ୍ଧୁକ ଓ ଆଲମିରାଗୁଡ଼ିକ ସ୍ଥାନାନ୍ତରଣ କରାଯାଇଥିଲା ।