ଗେଣ୍ଡୁଫୁଲ ଚାଷ ଦେଇଛି ସ୍ୱତନ୍ତ୍ର ପରିଚୟ

ଗୋଲାମୁଣ୍ଡା :  ସରକାରୀ ସହାୟତାରେ ଚାଷୀମାନେ କିଏ ଧାନ ଚାଷ ତ ଆଉ କିଏ ପନିପରିବା ଚାଷ ତ ଆଉ କିଏ ଡାଲି ଜାତୀୟ ଫସଲ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି । ହେଲେ ଏମିତି ଜଣେ ଚାଷୀ ଅଛନ୍ତି ଏ ସବୁକୁ ମାତ୍ ଦେଇ ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଗୋଲାମୁଣ୍ଡା ବ୍ଲକରେ ଜଣେ ମାତ୍ର ଚାଷୀ ଯିଏକି ଗେଣ୍ଡୁଫୁଲ ଚାଷ କରି ପାଇଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । 
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ପଞ୍ଚାୟତର ମୁକୁନ୍ଦପୁର ଗ୍ରାମର ଚାଷୀ ମୁନିରାମ ପୁଟେଲ ଆଗରୁ ପନିପରିବା ଚାଷ କରୁଥିଲେ । ହେଲେ କୃଷି ଉଦ୍ୟାନ ବିଭାଗର ସହାୟତାରେ ସେ ଗତ ୨୦୧୮ମସିହାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଥିଲେ । ଚାଷୀ ମୁନିରାମ ଓ ତାଙ୍କ ସ୍ତ୍ରୀ  ଗୀତାଞ୍ଜଳୀ ପୁଟେଲ ନିଜ ଘର ପଛପଟେ ଥିବା ୫୦ ଡ଼ିସିମିଲ ଜାଗାରେ ଗେଣ୍ଡୁଫୁଲ ଚାଷ କରିଛନ୍ତି । ଗେଣ୍ଡୁଫୁଲ ଚାଷରେ କମ୍ ଖର୍ଚ୍ଚ ଓ କମ୍ ସମୟ ଦେଉଥିବାବେଳେ ଭଲ ଲାଭବାନ ମଧ୍ୟ ହେଉଛନ୍ତି । ଗେଣ୍ଡୁଫୁଲ ଚାଷରେ ବର୍ଷକୁ ଲକ୍ଷେ ଟଙ୍କା ଆୟ କରନ୍ତି । ଗେଣ୍ଡୁ ଫୁଲ ପ୍ରଥମତଃ ଆୟ କରିବାର ଏକ ମାଧ୍ୟମ ହୋଇଥିବାବେଳେ ସୌନ୍ଦର୍ଯ୍ୟ ମଧ୍ୟ ବଢାଇଛି । ବିଗତ ୫ ବର୍ଷ ହେବ ନିଜ ବାଡ଼ିରେ ଫୁଲ ଚାଷ କରିଥିବାବେଳେ ଏକ ପାର୍କର ମଧ୍ୟ ଭ୍ରମ ସୃଷ୍ଟି କରିଛି । ବିଶେଷ କରି ବର୍ଷା ଋତୁରେ ଫୁଲ ଫୁଟିଥାଏ ଓ ଲୋକେ ନିଜ ବାଡ଼ି ବଗିଚାରେ ଫୁଲ ଗଛ ଲଗାଇ ଥାନ୍ତି । ବର୍ଷା ଋତୁ ଗଲା ପରେ ଆଉ ଫୁଲ ଦିଶେ ନାହିଁ । କିନ୍ତୁ ଚାଷୀ ମୁନିରାମ ପୁଟେଲଙ୍କ ବାଡ଼ିରେ ବର୍ଷ ସାରା ଫୁଲ ଫୁଟିଥାଏ । ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼ ଧର୍ମଗଡ଼ ବ୍ଲକ ର ଫୁଲ ଦୋକାନୀମାନେ ନେଇ ବିକ୍ରି କରିଥାନ୍ତି । ବର୍ତ୍ତମାନ ଗେଣ୍ଡୁଫୁଲ ପନିପରିବା ଠାରୁ ମଧ୍ୟ ଅଧିକ ଦାମରେ ବିକ୍ରି ହେଉଛି । କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବା ନେଇ ଚାଷୀ କହିଛନ୍ତି । ଚାଷୀ ମୁନିରାମ କହନ୍ତି ଫୁଲ ଚାଷ ପାଇଁ ସକାଳେ ତିନି ଘଣ୍ଟା ଓ ଅପରାହ୍ନରେ ତିନି ଘଣ୍ଟା ସମୟ ଦେଇଥାନ୍ତି । ବର୍ତ୍ତମାନ ୫ ବର୍ଷ ହେବ ସେ ଗେଣ୍ଡୁଫୁଲ ଚାଷ କରୁଛନ୍ତି  । ଗୋଟିଏ ଗେଣ୍ଡୁଫୁଲ ଗଛର ପରମାୟୁ ୬ ମାସ ଥିବା ବେଳେ  ୫ ରୁ ୬ କେଜି ଫୁଲ ଯୋଗାଇଥାଏ ବୋଲି ଚାଷୀ କହିଛନ୍ତି ।