ଶିମିଳିପାଳରେ ପ୍ରବଳ ବର୍ଷା, ବନ୍ୟଜନ୍ତୁଙ୍କୁ ନେଇ ଚିନ୍ତା
Similipal Park
ଭୁବନେଶ୍ୱର : ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇଛି । ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ଭଳି ସ୍ଥିତି ମଧ୍ୟ ସୃଷ୍ଟିହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଅପରପକ୍ଷରେ ଆସନ୍ତାକାଲି ସୁନ୍ଦରଗଡ଼ ଓ କେନ୍ଦୁଝର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବନ୍ୟା ଭଳି ସ୍ଥିତି ସୃଷ୍ଟିହୋଇଛି । ଏସଆରସିଙ୍କ ପକ୍ଷରୁ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଏଡ଼ିଜି, ଜଳସମ୍ପଦ ବିଭାଗର ଇଆଇସି, ମୁଖ୍ୟ ଅଗ୍ନିଶମ ଅଧିକାରୀ ଓ ଏସଆରସିଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ତିନି ଜିଲ୍ଲାରେ ବର୍ଷା ସ୍ଥିତି ଓ ୩ ନଦୀ ଜଳସ୍ତର ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ବିଶେଷକରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ବାଲେଶ୍ୱର ପାଇଁ ୬ ଓଡ୍ରାଫ୍ ଟିମ୍ ଓ ୧୦ ଅଗ୍ନିଶମ ଟିମ୍ ଏବଂ ଗୋଟିଏ ଏନଡ଼ିଆରଏଫ୍ ଟିମକୁ ମୁତୟନ କରାଯାଇଛି । ମୟୂରଭଞ୍ଜ ପାଇଁ ୭ ଓଡ୍ରାଫ୍ ଟିମ୍, ୧ ଏନଡ଼ିଆରଏଫ ଟିମ୍ ଓ ୧୨ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିମିଳିପାଳ ଅଭୟାରଣ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ ବହୁ ବନ୍ୟଜନ୍ତୁ ମଧ୍ୟ ଅଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିପଦଶଙ୍କୁଳ ଅଞ୍ଚଳକୁ ଯିବା ନିମନ୍ତେ ଏଡ଼ିଏମ, ଉପଜିଲ୍ଲାପାଳ ଓ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ସାମଗ୍ରୀ ପରିବହନ ବେଳେ ଆଇଆଇସିଙ୍କୁ ଅବଗତ କରାଇବାକୁ କୁହାଯାଇଥିବା ବେଳେ ଜିଲ୍ଲା କଣ୍ଟ୍ରୋଲ ରୁମ୍କୁ ବରିଷ୍ଠ ଅଧିକାରୀମାନେ ପରିଚାଳନା କରିବେ ।