ସୋନମ ୱାଙ୍ଗଚୁକ ଗିରଫ
ନୂଆଦିଲ୍ଲୀ : ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଂସାର ରୂପ ନେଇଥିଲା । ଜେନ-ଜେଡଙ୍କ ଜଳାପୋଡାରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ୭୦ଜଣ ଆହତ ହୋଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିପାଇଁ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲା । ଆଜି ପ୍ରସିଦ୍ଧ ଶିକ୍ଷାବିତ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଲଦାଖ ପୁଲିସ ଗିରଫ କରିଛି । ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବଳରେ ଗିରଫ କରାଯାଇଛି । ୱାଙ୍ଗଚୁକଙ୍କୁ ଜେଲ୍ କି ଅନ୍ୟ କୌଣସି ସ୍ଥାନକୁ ନିଆଯିବ ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ୱାଙ୍ଗଚୁକଙ୍କ ଗିରଫ ପରେ ସୁରକ୍ଷାକୁ କଡାକଡି କରାଯାଇଛି । ଲେହରେ ଇଣ୍ଟରନେଟ ଓ ମୋବାଇଲ ସେବାକୁ ବନ୍ଦ କରିଦିଆଯାଇଛି ।
ବୁଧବାର ଦିନ ହିଂସାତ୍ମକ ସଂଘର୍ଷ ପରେ କର୍ତ୍ତୃପକ୍ଷ ଲଦାଖ ଓ ଲେହରେ କର୍ଫ୍ୟୁ ଜାରି କରିଥିଲେ । ୱାଙ୍ଗଚୁକ ମଧ୍ୟ ତାଙ୍କର ଦୁଇ ସପ୍ତାହର ଅନଶନ ପ୍ରତ୍ୟାହାର କରିଥିଲେ । ରାଜ୍ୟ ମାନ୍ୟତା ଓ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବିରେ ୱାଙ୍ଗଚୁକ ଅନଶନ କରୁଥିଲେ । ଏହାର ଗୋଟିଏ ଦିନ ପରେ ସରକାର ହିଂସା ପାଇଁ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ । ତାଙ୍କର ଉତ୍ତେଜକ ବୟାନ ଓ କାର୍ଯ୍ୟ ଲଦାଖୀ ପ୍ରତିନିଧିମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରେ ବାଧା ସୃଷ୍ଟି କରିବା ସହ ପ୍ରତିବାଦକାରୀଙ୍କୁ ଉସୁକାଇଥିଲା ବୋଲି ଅଭିଯୋଗ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ୱାଙ୍ଗଚୁକ୍ ଆରବ ସ୍ପ୍ରିଙ୍ଗ ଓ ନେପାଳ ଜେନ-ଜେଡ୍ ପ୍ରତିବାଦ ଦ୍ଭ ବିଷୟରେ ଉଲ୍ଲେଖ କରିବା ଦ୍ୱାରା ଉପସ୍ଥିତ ଯୁବ ଗୋଷ୍ଠୀଙ୍କୁ ଉତ୍ତେଜିତ କରାଇବା ସହ ପରିଣାମସ୍ୱରୂପ ଲେହରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଓ କିଛି ସରକାରୀ ଯାନବାହନ ଜାଳି ଦିଆଯାଇଥିଲା । ଆଜି ଦିନ ସାଢେ ୨ଟା ସମୟରେ ୱାଙ୍ଗଚୁକ୍ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର ଥିଲା । କିନ୍ତୁ ଗଣମାଧ୍ୟମ ସହିତ କଥା ହେବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ହିଂସା ପାଇଁ ତାଙ୍କୁ ଦାୟୀ କରିବା ମନ୍ତ୍ରଣାଳୟର ବିବୃତ୍ତିର ଜବାବରେ ୱାଙ୍ଗଚୁକ୍ କହିଛନ୍ତି, ଏହା ଘଟଣା ପରି ଦୁଃଖଦ । ସେମାନେ ଏହି ପ୍ରସଙ୍ଗକୁ ଯେଉଁଭଳି ଭାବରେ ମୁକାବିଲା କରୁଛନ୍ତି ତାହା ପିଲାଳିଆମି । ସେ କହିଛନ୍ତି ଯେ କର୍ତ୍ତୃପକ୍ଷ ଦୋଷର ଖେଳ ଖେଳୁଛନ୍ତି ଓ ତାଙ୍କୁ ବଳି ବକ୍ରା କରୁଛନ୍ତି । ଏହା ସମସ୍ୟା ସମାଧାନ କରିବାର ଉପାୟ ନୁହେଁ, ଏହା ପରିସ୍ଥିତିକୁ ଆହୁରି ଖରାପ କରିବ ଓ ଯୁବ ଗୋଷ୍ଠୀଙ୍କୁ କ୍ରୋଧିତ କରିବ । କେନ୍ଦ୍ର ସରକାର ଛଅ ବର୍ଷର ବେକାରୀ ଓ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବା ପରେ ଏବେ ସବୁକିଛି ପାଇଁ ମୋତେ ଦାୟୀ କରୁଛନ୍ତି ବୋଲି ୱାଙ୍ଗଚୁକ୍ କହିଛନ୍ତି । ଗୃହ ମନ୍ତ୍ରଣାଳୟ ୨୦୧୦ ମସିହାର ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫସିଆରଏ) ଅନୁଯାୟୀ ବିଦେଶରୁ ପାଣ୍ଠି ଗ୍ରହଣ କରିବା ପାଇଁ ୱାଙ୍ଗଚୁକଙ୍କ ଅଣଲାଭକାରୀ ‘ଷ୍ଟୁଡେଣ୍ଟ୍ସ ଏଜୁକେସନାଲ୍ ଆଣ୍ଡ୍ କଲଚରାଲ୍ ମୁଭମେଣ୍ଟ୍ ଅଫ୍ ଲଦାଖ' (ଏସଇସିଏମଓଏଲ) ର ପଞ୍ଜିକରଣ ଗତକାଲି ବାତିଲ କରିଥିଲେ ।