ଆଗକୁ ବିହାର ଭୋଟ୍, ନୀତୀଶଙ୍କ ପୂଜା ଭେଟି ; ମହିଳାଙ୍କୁ ମିଳିଲା ୧୦ ହଜାର
ନୂଆଦିଲ୍ଲୀ : ଆଉ କିଛି ମାସ ପରେ ବିହାରରେ ହେବ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆଜି ବିହାର ମହିଳାଙ୍କୁ ଦଶହରା ଭେଟି ସ୍ୱରୂପ ମିଳିଛି ୧୦ ହଜାର ଟଙ୍କା । ୭୫ ଲକ୍ଷ ମହିଳାଙ୍କ ଏକାଉଣ୍ଟକୁ ଆସିଛି ଏହି ଟଙ୍କା । ଆଜି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ପ୍ରମୁଖ ଜୀବିକା ନିର୍ବାହ ଯୋଜନା । ଯାହା ମହିଳାଙ୍କୁ ଆତ୍ମନିଯୁକ୍ତି ଓ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପକୁ ସମର୍ଥନ କରିବ । ଏହି ଅବସରରେ ମୋଦି ବିହାରର ମହିଳାମାନଙ୍କୁ ଅନୁରୋଧ କରିଛନ୍ତି ଯେ ଆରଜେଡି ଓ ଏହାର ସହଯୋଗୀ ଦଳକୁ କେବେବି କ୍ଷମତାକୁ ଆଣିବାକୁ ଦିଅ ନାହିଁ, ଏହା ନିଶ୍ଚିତ କରନ୍ତୁ । ସେମାନଙ୍କ ପୂର୍ବ ଶାସନ ବିଶେଷକରି ମହିଳାଙ୍କ ପାଇଁ ଅପାର କଷ୍ଟ ଆଣିଥିଲା ବୋଲି ମୋଦି କହି ମନେ ପକାଇ ଦେଇଥିଲେ ।
ଶୁକ୍ରବାର ଆଭାସୀ ମାଧ୍ୟମରେ ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି, ଯେତେବେଳେ ଜଣେ ମହିଳା ପ୍ରଗତି କରନ୍ତି, ସମଗ୍ର ସମାଜ ଆଗକୁ ବଢ଼ିଥାଏ । ଯେତେବେଳେ ଏକ ସରକାର ମହିଳାମାନଙ୍କୁ କେନ୍ଦ୍ରରେ ରଖି ନୀତି ପ୍ରଣୟନ କରେ ଏହାର ଲାଭ ସମାଜର ଅନ୍ୟ ବର୍ଗକୁ ମଧ୍ୟ ବିସ୍ତାର କରେ । ଉଜ୍ଜ୍ୱଳା ଯୋଜନାର ପରିବର୍ତ୍ତନକାରୀ ପ୍ରଭାବ ଏବେ ସାରା ବିଶ୍ୱରେ ସ୍ୱୀକୃତି ପାଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରାଯାଇଛି । ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ ୧୦,୦୦୦ ଟଙ୍କା ସ୍ଥାନାନ୍ତର କରାଯାଇଛି ।
ଯେତେବେଳେ ଜଣେ ମହିଳା ନିଯୁକ୍ତିରେ ନିୟୋଜିତ ହୁଅନ୍ତି କିମ୍ବା ସ୍ୱନିଯୁକ୍ତ ହୁଅନ୍ତି, ତାଙ୍କ ସ୍ୱପ୍ନ ନୂତନ ପକ୍ଷ ପାଇଥାଏ ଓ ସମାଜରେ ତାଙ୍କର ସମ୍ମାନ ବଢ଼ିଥାଏ । ସେ ଏହା ଉପରେ ଆଲୋକପାତ କରିଥିଲେ ଯେ ଯଦି ସରକାର ଏଗାର ବର୍ଷ ପୂର୍ବରୁ ଜନ ଧନ ଯୋଜନା ଆରମ୍ଭ କରିବାକୁ ସଂକଳ୍ପ ନେଇ ନଥାନ୍ତେ, ଏହି ଯୋଜନାରେ ୩୦ କୋଟିରୁ ଅଧିକ ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲି ନଥାନ୍ତେ । ଯଦି ସେହି ଆକାଉଣ୍ଟଗୁଡ଼ିକୁ ମୋବାଇଲ୍ ଫୋନ୍ ଓଚ ଆଧାର ସହିତ ଲିଙ୍କ୍ କରାଯାଇ ନଥାନ୍ତା, ତେବେ ଏପରି ପାଣ୍ଠି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ସ୍ଥାନାନ୍ତର କରିବା ସମ୍ଭବ ହୋଇନଥାନ୍ତା । ସେ ଏହା ମଧ୍ୟ କହିଥିଲେ ଯେ, ବିହାରର ମହିଳାମାନଙ୍କର ବର୍ତ୍ତମାନ ଦୁଇ ଭାଇ, ନୀତୀଶ ଓ ମୋଦି । ଯେଉଁ ଦୁଇ ଭାଇ ସେମାନଙ୍କ ଉନ୍ନତି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ପଛରେ ଥିବା ଦୃଷ୍ଟିକୋଣ ପାଇଁ ତାଙ୍କର ପ୍ରଶଂସା ବାଣ୍ଟି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରରେ ଅତି କମରେ ଜଣେ ମହିଳା ହିତାଧିକାରୀ ରହିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୧୦,୦୦୦ ଟଙ୍କାର ପ୍ରାରମ୍ଭିକ ଅନୁଦାନ ମିଳିବ, ପରବର୍ତ୍ତୀ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହାୟତା ପାଇବାର ସମ୍ଭାବନା ରହିବ । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଅଭିଯାନକୁ ଆହୁରି ମଜଭୁତ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ କେନ୍ଦ୍ର ସରକାର ସାରା ଦେଶରେ ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ ଦୁଇ କୋଟିରୁ ଅଧିକ ମହିଳା ଏହି ମାଇଲଖୁଣ୍ଟ ହାସଲ କରିସାରିଛନ୍ତି । ବିହାରର ଏନଡିଏ ସରକାର ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ରାଜ୍ୟରେ ଖୁବ୍ ଶୀଘ୍ର ଦେଶରେ ସର୍ବାଧିକ ସଂଖ୍ୟକ ‘ଲକ୍ଷପତି ଦିଦି' ରହିବେ । ସେ କେନ୍ଦ୍ର ଏବଂ ବିହାର ସରକାରଙ୍କ ମିଳିତ ପ୍ରୟାସକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ବିହାରର ଝିଅମାନେ ଏବେ ଭୟ ବିନା ଘରୁ ବାହାରକୁ ଯାଉଛନ୍ତି ଏବଂ ବିଳମ୍ବିତ ରାତିରେ ମଧ୍ୟ କାମ କରି ପାରୁଛନ୍ତି । ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଆହ୍ୱାନ କରିଥିଲେ ଯେ ବିହାର କେବେବି ଅତୀତର ଅନ୍ଧକାରକୁ ଫେରିବ ନାହିଁ ।