କାହିଁକି ହୋଇପାରୁନି ବିଜେପି ଜାତୀୟ ସଭାପତି ଚୟନ ? 

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଦଳ । ଦେଶର ଅଧିକାଂଶ ରାଜ୍ୟରେ ବିଜେପି ସରକାର । ତଥାପିବି ଦୀର୍ଘ ଦେଢ଼ ବର୍ଷ ଧରି ଦଳ ସଭାପତି ଚୟନ କରିପାରୁନାହିଁ । ଯାହା ଏବେ ଜାତୀୟ ବିଜେପି ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ଦଳ ରାଜ୍ୟ ସଭାପତି ଚୟନ କରିପାରୁନଥିବାରୁ ଜାତୀୟ ସଭାପତି ଚୟନ ଅଟକି ରହିଥିବା ଜାଣିବାକୁ ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ,ଦ୍ଭ ଉତ୍ତରପ୍ରଦେଶରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ହୋଇଥିବାବେଳେ ଗୁଜୁରାଟରୁ ବାଜିମାତ୍‌ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ତେବେ ସେହି ଦୁଇ ରାଜ୍ୟରେ ରାଜ୍ୟ ସଭାପତି ନିଯୁକ୍ତି ପ୍ରକ୍ରିୟା ସରିନଥିବାରୁ ଉଭୟ ରାଜ୍ୟରୁ କେହି ବିଜେପିର ଜାତୀୟ ପରିଷଦର ସଭ୍ୟ ହୋଇପାରିନାହାନ୍ତି । ଅର୍ଥାତ୍‌ ଏଯାଏଁ ମୋଦି ଓ ଶାହ ବିଜେପିର ଜାତୀୟ ପରିଷଦ ସଭ୍ୟ ହୋଇନାହାନ୍ତି । ଦୁଇ ନେତା ଜାତୀୟ ପରିଷଦର ସଭ୍ୟ ହେବାପରେ ହିଁ ନୂଆ ସଭାପତିଙ୍କ ପାଇଁ ପ୍ରସ୍ତାବକ ହୋଇପାରିବେ ।  ସେହିପରି ବିଜେପି ଏଥର ସଭାପତି ଚୟନ ବେଳେ ଜାତି, ଅଞ୍ଚଳ ବା ସାମାଜିକ ସମୀକରଣକୁ ଗୁରୁତ୍ୱ ଦେବନାହିଁ । ବିଜେପି ଏବେ ବଡ଼ ଦଳ ପାଲଟିଥିବାବେଳେ ଦଳ ପାଇଁ ବିଭିନ୍ନ ରାଜ୍ୟରୁ ଆହ୍ୱାନ ସୃଷ୍ଟି ହେଉଛି । ତେଣୁ ସାଂଗଠନିକ ଦକ୍ଷତା ଥିବା ନେତାଙ୍କୁ ସଭାପତି କରିବା ପାଇଁ ଦଳ ଗୁରୁତ୍ୱାରୋପ କରିଛି  । ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ପରେ ଦଳ ପକ୍ଷରୁ ପ୍ରଥମେ ଗୁଜୁରାଟ ଓ ଉତ୍ତରପ୍ରଦେଶରେ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ମାସ ଶେଷ ଆଡ଼କୁ ବିଜେପି ନୂଆ ସଭାପତି ପାଇବ ବୋଲି ଜାତୀୟ ଗଣମା୍ମମରେ ରିପୋର୍ଟ ପ୍ରକାଶ ପାଇଛି ।