ସୁରମା ପାଢୀ ହେବେ ବାଚସ୍ପତି
Speaker Surama Padhi

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବେ ସୁରମା ପାଢ଼ୀ । ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ମନ୍ତ୍ରୀମଣ୍ଡଳରେ ସାମିଲ ନହେବା ପରେ ସୁରମା ପାଢ଼ୀ ବାଚସ୍ପତି ହେବେବୋଲି ଚର୍ଚ୍ଚା ଜୋର ଧରିଥିଲା । ୧୯୬୦ ମସିହା ଡିସେମ୍ବର ୨୯ରେ ସୁରମା ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିବା ସୁରମା ଓକିଲ ଭାବେ ନିଜର ପେଶା ଆରମ୍ଭ କରିଥିଲେ ।
ରାଜ୍ୟ ବିଜେପିର ସେ ହେଉଛନ୍ତି ଆଗଧାଡ଼ିର ବିଜେପି ନେତ୍ରୀ । ଜାତୀୟସ୍ତରରେ ବି ତାଙ୍କର ସୁନାମ ରହିଛି । ୧୯୮୮ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସୁରମା ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ଜାତୀୟ କାର୍ଯ୍ୟକାରୀ କମିଟିରେ ସେ ସ୍ଥାନ ପାଇବା ସହ ୨୦୦୪ରେ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସମବାୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ।
୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ରଣପୁରରୁ ପରାସ୍ତ ହୋଇଥିଲେ । ତେବେ ଲୋକଙ୍କ ସହ ଜଡ଼ିତ ରହିଥିବାରୁ ଏଥର ସେ ବାଜିମାତ୍ କରିଛନ୍ତି । ଚଳିତ ନିର୍ବାଚନରେ ପ୍ରଥମେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ତେବେ ସୁରମାଙ୍କ ସାଂଗଠନିକ ଦକ୍ଷତାକୁ ଅନୁଶୀଳନ କରିବା ପରେ ତାଙ୍କୁ ଦଳ ପୁଣି ଟିକେଟ ଦେବାକୁ ବାଧ୍ୟ ହୋଇଥିଲା । ପ୍ରମିଳା ମଲ୍ଲିକଙ୍କ ପରେ ଓଡ଼ିଶା ପୁଣି ଜଣେ ମହିଳା ବାଚସ୍ପତିଙ୍କୁ ଦେଖିବ ।