ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି : ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭାଙ୍ଗିଗଲା
Special Development Corporation
ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି । ପୂର୍ବରୁ ନିଗମଗୁଡ଼ିକର ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ପରାମର୍ଶଦାତାମାନଙ୍କୁ ମଧ୍ୟ ସରକାର ବାହାର କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପରେ ବିଜେପି ରାଜନୀତି ଚଳଚଞ୍ଚଳ ହୋଇଯାଇଛି । ବିଧାନସଭା ପରେପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବିଭିନ୍ନ ନିଗମର ଅଧ୍ୟକ୍ଷ ପଦରେ ବିଜେପି ନେତାମାନଙ୍କୁ ଅବସ୍ଥାପିତ କରାଯିବା ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବିକଳ୍ପ ଭାବେ ଆଉ କିଛି ନୂଆ ପଦକ୍ଷେପ ନେବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବିଜେଡ଼ିର ଥଇଥାନ କେନ୍ଦ୍ରରେ ପରିଣତ ହୋଇଥିଲା । ତେବେ ବିଜେଡ଼ି ସରକାର ଯିବା ପରେପରେ ଅନେକ ବିଜେଡ଼ି ନେତା ନିଜ ଆଡ଼ୁ ଇସ୍ତଫା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା ।