ବିଜେପିରୁ ରାଜ୍ୟସଭା ଯିବେ ସୁଜିତ୍ କୁମାର
Sujit Kumar
ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୪ ରାଜ୍ୟର ୬ ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ହେବ । ଆସନ୍ତା ଡିସେମ୍ବର ୩ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର ୧୦ ଥିବାବେଳେ ଆବଶ୍ୟକ ପଡ଼ିଲେ ଡିସେମ୍ବର ୨୦ରେ ଭୋଟ୍ ଗ୍ରହଣ ହେବ ।
ଇସିଆଇଙ୍କ ବିଜ୍ଞପ୍ତି ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଭେଙ୍କେଟରମଣ ରାଓ ମୋପିଦେଭି, ବିଧା ମସ୍ତାନ ରାଓ ଯାଦବ, ର୍ୟାକ କ୍ରୀଷ୍ଣାଇହା, ଓଡ଼ିଶାର ସୁଜିତ କୁମାର, ପଶ୍ଚିମବଙ୍ଗର ଜୱାହାର ସିରକାର ଏବଂ ହରିୟାଣାର କ୍ରୀଷ୍ଣାଲାଲ ପନୱରଙ୍କ ସ୍ଥାନରେ ଉପନିର୍ବାଚନ ହେବ ।
ସୂଚନାଯୋଗ୍ୟଯେ, ସୁଜିତ୍ କୁମାର ବିଜେଡ଼ି ପ୍ରାର୍ଥୀଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ଅପ୍ରେଲ ୨ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ପୂରଣ ହୋଇଥା’ନ୍ତା । ତେବେ ସେ ଗତ ସେପ୍ଟେମ୍ବର ୬ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଯାହାକି ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା । ଗୋଟିଏ ପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାମ ପାଇଁ ବହିଷ୍କାର କରିଥିବାବେଳେ ଅପରପକ୍ଷରେ ସେ ବିଜେପିରେ ଯୋଗ ଦେଇଥିଲେ । ପୂର୍ବରୁ ମଧ୍ୟ ବିଜେଡ଼ି ରାଜ୍ୟସଭା ସାଂସଦ ଥିବା ମମତା ମହନ୍ତ ପଦରୁ ଇସ୍ତଫା ଦେବା ସହ ବିଜେପିରେ ମିଶିଥିଲେ । ମମତାଙ୍କ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବିଜେପି ତାଙ୍କୁ ହିଁ ପ୍ରାର୍ଥୀ କରିଥିଲା । ତେଣୁ ସୁଜିତ କୁମାରଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିବ ବୋଲି ଜାଣିବାକୁ ମିଳିଛି ।