ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ : କିସର ଶତ ପ୍ରତିଶତ ସଫଳତା
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର ୧୮ବର୍ଷ ଧରି ଏହାର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ଚଳିତ ବର୍ଷ ସ୍କୁଲ୍ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୧ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍ ଛାତ୍ରୀ ଖଇରାଣୀ ମାଝୀ ସର୍ବାଧିକ ୫୬୦ ନମ୍ବର ରଖି ସ୍କୁଲ୍ ଟପ୍ପର ହୋଇଛନ୍ତି । ଏହା ସହିତ କିସ୍ର ସଉରା, ବଣ୍ଡା, ଜୁଆଙ୍ଗ, ଖଡ଼ିଆ, ଲୋଧା, ପାଉଡ଼ି ଭୂୟାଁ ଆଦି ଅତି ଦୁର୍ବଳ ଜନଜାତି ବର୍ଗର ୨୦୧ଜଣ ଛାତ୍ରଛାତ୍ରୀ ମଧ୍ୟ ଏଥର ଭଲ ପ୍ରଦର୍ଶନ କରିଛନ୍ତି । ଖୁସିର କଥା ଚଳିତବର୍ଷ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ରାଜ୍ୟରୁ ଆସି କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି । କିସ୍ ଫଳାଫଳ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କିସ୍ର ଏହି ଛାତ୍ରଛାତ୍ରୀମାନେ ହେଉଛନ୍ତି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ବଂଶର ପ୍ରଥମ ପିଢ଼ି । କିସ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଓ ସମୟକୁ ସମୟ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ସେମାନଙ୍କ ମୂଳଦୁଆକୁ ଦୃଢ଼ କରିପାରିଛି । ସେଥିପାଇଁ ପ୍ରତିବର୍ଷ କିସ୍ ଏହି ସଫଳତା ପାଇପାରୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତ କିସ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।