ବଦଳିଲା ଲକ୍ଷ୍ମୀ ବସ୍ର ନାଁ ସହ ରଙ୍ଗ
ଶେଷରେ ବଦଳିଲା ଲକ୍ଷ୍ମୀ ବସ୍ର ରଙ୍ଗ । ସବୁଜରୁ ହେଲା ଗେରୁଆ। ଆଉ ସେଥିରେ ଲକ୍ଷ୍ମୀ ବସ୍ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍ ସେବା। ଢେଙ୍କାନାଳରେ ଲକ୍ଷ୍ମୀ ବସ୍ର ହୋଇଛି ଏପରି ନବକଳେବର।
ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି। ଏଥିସହ ବସ୍ର ନାଁ ବି ବଦଳି ଯାଇଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି।
ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟି ଯାଇଥିଲା ଆଉ ଏବେ ରଙ୍ଗ ଓ ନାଁ ବଦଳି ଯାଇଛି। ତେବେ ଏନେଇ RTO ପାଟି ଫିଟାଉ ନାହାନ୍ତି। ଲକ୍ଷ୍ମୀ ବସ୍ର ରଙ୍ଗ ପରିବର୍ତ୍ତନ ନେଇ ଆମ ପାଖରେ କିଛି ଖବର ନାହିଁ କିମ୍ବା ଆମ କର୍ମଚାରୀ ଏହି କାମ କରୁ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତା’ ହେଲେ କାହା ଦ୍ୱାରା ଏହି କାମ ହେଉଛି, ଏଥିପାଇଁ କେଉଁଠୁ ଅର୍ଥ ବିନିମୟ କରାଯାଉଛି ତାହା ଜଣାପଡ଼ିନି।
ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷ୍ମୀ ବସ୍ ନାଁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମନ୍ତବ୍ୟ। ମନ୍ତ୍ରୀ କହିଥିଲେ, ନାଁ ବଦଳିପାରେ। ନାଁ ରେ କ'ଣ ଅଛି। ସେବା ମିଳିବା ଦରକାର ।
ଏଥିସହ ସେ କହିଥିଲେ, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା। ଅଯୋଧ୍ୟା, ତିରୁପତି, ମହାକାଳେଶ୍ବର, ବାରାଣସୀ ଓ ବୃନ୍ଦାବନକୁ ଗଡ଼ିବ ବସ୍। ପୁରୀ, ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ବସ୍ ଚାଲିବ। ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି। ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ। ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।
ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମାଲକାନଗିରିରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ କରିଥିଲେ । ପ୍ରଥମ ଦିନରେ ୩୬ଟି ବସର ଶୁଭାରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ସମଗ୍ର ରାଜ୍ୟରେ ଏହି ବସ୍ ଗଡ଼ିଥିଲା। ମାତ୍ର ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ବସ୍ ସେବାକୁ ବନ୍ଦ ନ କରି ଏହାର ନାଁ ଓ ରଙ୍ଗରେ ପରିବର୍ତ୍ତନ ଆଣିଛି।