ପାଣ୍ଡିଆନଙ୍କ ବିରୋଧରେ ବିଜେଡ଼ି ନେତାଙ୍କ ମେଳି
VK pandian Naveen Pattanaik Biju Janata Dal

ବିଜେଡ଼ିରେ ଚାଲିଥିବା ମନମାନି ରାଜନୀତିକୁ ନେଇ ଅନେକ ବିଜେଡ଼ି ନେତା କ୍ଷୁବ୍ଧ ହୋଇଯାଇଛନ୍ତି । ବିଜେଡ଼ି ବିଧାୟକ ଓ ସାଂସଦଙ୍କ ମନରେ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏବେବି ଦଳରେ ପାଣ୍ଡିଆନଙ୍କ ମାମଲତି ଜାରିରହିଛି । ଯାହାକୁ ନେଇ ପାଣ୍ଡିଆନଙ୍କ ବିରୋଧରେ ବିଜେଡ଼ି ନେତାମାନେ ମେଳି ବାନ୍ଧିବା ଆରମ୍ଭ କଲେଣି । ସେପଟେ ମାମଲତକାରଙ୍କ ଭିତରେ ବି ଅଘୋଷିତ ଲଢେ଼ଇ ଆରମ୍ଭ ହୋଇଯାଇଛି । ବିଜେଡ଼ିର ନବକଳେବରରେ କିଏ ପାୱାରଫୁଲ୍ ହେବ ତାହାକୁ ନେଇ ଅଙ୍କକଷା ଜୋରଧରିଛି ।
ଚବିଶ ନିର୍ବାଚନର ପରାଜୟ ପାଇଁ ଦଳର ସଂଖ୍ୟାଧିକ ନେତା ଭିକେ ପାଣ୍ଡିଆନଙ୍କୁ ହିଁ ଦାୟୀ କରୁଛନ୍ତି । ନବୀନଙ୍କୁ ପଛକୁ ଠେଲି ପାଣ୍ଡିଆନ୍ ନିଜକୁ ଆତ୍ମଘୋଷିତ ଚେହେରା ଭାବେ ଉପସ୍ଥାପିତ କରିଥିଲେ । ନିର୍ବାଚନ ବେଳେ ଦଳର ତାରକା ପ୍ରଚାରକ କେବଳ ଘୋଷଣା ମଧ୍ୟରେ ହିଁ ସୀମିତ ରହିଥିଲା । ସାରା ରାଜ୍ୟରେ ପାଣ୍ଡିଆନ ହିଁ ପ୍ରଚାର କରୁଥିଲେ । ମଞ୍ଚ ଉପରେ କେବଳ ପାଣ୍ଡିଆନଙ୍କୁ ହିଁ ଦେଖିବାକୁ ମିଳୁଥିଲା । ଯାହାକୁ ନେଇ ବିଜେପି ଏକ ବଡ଼ ପ୍ରସଙ୍ଗ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ପ୍ରସଙ୍ଗ କରିଥିଲେ । ଅତଏବ ବିଜେପିର ଏହା ଥିଲା ସୁଚିନ୍ତିତ ରଣନୀତି । କିନ୍ତୁ ଗର୍ବରେ ମଦମତ୍ତ ପାଣ୍ଡିଆନ୍ ବିଜେପିର ଷ୍ଟ୍ରାଟେଜୀକୁ ନଜରଅନ୍ଦାଜ କରିଥିଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ପ୍ରେମରେ ଅନ୍ଧ ହୋଇଯାଇଥିଲେ । ବିଜେଡ଼ି କର୍ମୀଙ୍କ ମଧ୍ୟରେ ତୃଣମୂଳସ୍ତରରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା । ଯେଉଁଥିପାଇଁ ବିଜେଡ଼ିର ଦୁଇ ତିନି ପ୍ରତିଶତ ଭୋଟ କମିଯାଇଥିଲା । ବିଜେଡ଼ି ମାତ୍ର ୩% ଭୋଟରେ ୩୦ରୁ ଉଦ୍ଧ୍ୱର୍ ଆସନ ହରାଇଛି । ଯଦି ସେଭଳି ହୋଇନଥା’ନ୍ତା ତେବେ ବିଜେଡ଼ିର ଆସନ ସଂଖ୍ୟା ୯୦ ଛୁଇଁ ଯାଇଥା’ନ୍ତା ।
ସବୁଠାରୁ ବଡ଼ କଥା ହେଉଛି, ନିର୍ବାଚନ ପରେ ପରେ ପରାଜୟ ପାଇଁ ନିଜକୁ ଦାୟୀ କରି ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଓହରିଯାଇଛନ୍ତି । ହେଲେ ଏବେବି ସେ ନବୀନ ନିବାସରୁ ବିଜେଡ଼ିର ରଣନୀତି କରୁଛନ୍ତି । ବିଜେଡ଼ିର ସବୁ କମିଟି ଭାଙ୍ଗି ଯାଇଥିଲେବି ଏଯାଏଁ ନୂଆ କମିଟି ଗଢ଼ା ଯାଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବି ବଢ଼ିବାରେ ଲାଗିଛି । ଆଗାମୀ ଦିନରେ ବିଜେଡ଼ିରେ ଏହି କଳି ବିସ୍ଫୋରଣର ରୂପ ନେବା ନିଶ୍ଚିତ ହୋଇଯାଇଛି ।