ଚଉଦ ପରେ ବିଜେଡ଼ିରେ ନାହାନ୍ତି ‘ବିଜୁବାବୁ’

ଭୁବନେଶ୍ୱର : ଶୀର୍ଷକଟି ନିଶ୍ଚିତ ଭାବେ ପାଠକଙ୍କୁ ଆଚମ୍ବିତ କରିବ । କିନ୍ତୁ ବିଜେଡ଼ି ରାଜନୀତିକୁ ନିରିଖେଇ ଦେଖିଲେ ଏହାହିଁ ବାସ୍ତବ ସତ୍ୟ । ବିଜୁଙ୍କ ନାଁରେ ହୋଇଛି ବିଜୁ ଜନତା ଦଳ । ବିଜୁବାବୁ ହିଁ ହେଉଛନ୍ତି ବିଜେଡ଼ିର ବଳ । ୧୯୯୮ରୁ ୨୦୧୪ ଯାଏଁ ବିଜୁବାବୁ ହିଁ ଥିଲେ ବିଜେଡ଼ିର ପୋଷ୍ଟର ବୟ । ସଭା ସମିତି ହେଉକି ଶୋଭାଯାତ୍ରା ସବୁଠି ଆଗେ ବିଜୁ ବାବୁ ଅମର ରହେ ନାରା ପଡୁଥିଲା । ହୋର୍ଡ଼ିଂଠାରୁ ନେଇ ପୋଷ୍ଟର ପର୍ଯ୍ୟନ୍ତ ସବୁଠି ଶଙ୍ଖ ଚିହ୍ନ ସହ ବିଜୁଙ୍କ ବଡ଼ ବଡ଼ ଫଟୋ ରହୁଥିଲା । କିନ୍ତୁ ୨୦୧୪ ନିର୍ବାଚନରେ ବାଜିମାତ୍ ପରେ ଧିରେଧିରେ ବିଜେଡ଼ି ପୋଷ୍ଟରରେ ବିଜୁବାବୁ ଗେଡ଼ା ହୋଇଗଲେ । ଚବିଶ ବେଳକୁ ତ ଏମିତି ସ୍ଥିତି ହୋଇଥିଲାଯେ, ସତେଯେମିତି ବିଜୁବାବୁଙ୍କ ନାଁ ଆଉ ଦରକାର ନଥିଲା । ପୋଷ୍ଟର ବ୍ୟାନରରେ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ସହ ଶଙ୍ଖ ଚିହ୍ନ ରହୁଥିଲା । କାଁ ଭାଁ କିଛି ନେତା ନିଜ ପୋଷ୍ଟରରେ ବିଜୁବାବୁଙ୍କ ଫଟୋକୁ ଛୋଟ କରି ବସାଉଥିଲେ । ଏହା କ’ଣ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଗୋଚରରେ ହୋଇଥିଲା କି?
ଦଳ ଗଠନ ବେଳ ଠାରୁ ନେତାମାନେ ବିଜୁଙ୍କ ଠାରୁ ହିଁ ନିଜର ଭାଷଣ ଆରମ୍ଭ କରୁଥିଲେ । ବିଜୁବାବୁ ଅମର ରହେ ନାରାରୁ ହିଁ ଦଳର ଶୋଭାଯାତ୍ରା ଆରମ୍ଭ ହେଉଥିଲା । ୨୦୧୪ ପର୍ଯ୍ୟନ୍ତ ବିଜେଡ଼ିରେ ଏହି ଧାରା ଜାରି ରହିଥିଲା । ତେବେ ଦେଶରେ ମୋଦିଙ୍କ ହାୱା ଓ ଏପଟେ ପ୍ୟାରୀଙ୍କ ବିଦ୍ରୋହ ସତ୍ତ୍ୱେ ବିଜେଡ଼ି ବିପୁଳ ବିଜୟ ହାସଲ କରିବା ପରେ ହଠାତ୍ ବିଜେଡ଼ିର ଆଭିମୁଖ୍ୟ ବଦଳି ଯାଇଥିଲା । ଆଉ ବିଜୁଙ୍କ ନାଁରେ ନୁହେଁ ନବୀନଙ୍କ ନାଁରେ ହିଁ ଭୋଟ୍ ଅଛି ବୋଲି ତୁଙ୍ଗ ନେତାମାନେ ଭାବି ନେଲେ । ଦଳର ମାମଲତକାରମାନେ ଆଉ ବିଜୁଙ୍କ ଫଟୋକୁ ବେଶୀ ଗୁରୁତ୍ୱ ଦେଲେ ନାହିଁ । ୨୦୧୯ ଓ ୨୦୨୪ରେ ଦ୍ଭ ୭ ପୃଷ୍ଠାରେ...
ବିଜେଡ଼ିର ମାନିଫେଷ୍ଟୋ ଦେଖିଲେ ଏହା ସ୍ପଷ୍ଟ ପ୍ରତୀୟମାନ । ପୂର୍ବରୁ ଦଳର ମାନିଫେଷ୍ଟୋରେ ନବୀନଙ୍କ ସହ ବିଜୁବାବୁ ଓ ଶଙ୍ଖଚିହ୍ନର ଫଟୋ ରହୁଥିଲା । କିନ୍ତୁ ୨୦୧୯ ଓ ୨୦୨୪ ବେଳକୁ ତାହା ହଜିଗଲା । ଏକଥା ବିଜେଡ଼ିରେ ସବୁ ନେତା ଅନୁଶୀଳନ କଲେ ବୁଝିପାରିବେ । ଦିନେ ବିଜୁଙ୍କ ସ୍ୱପ୍ନ କଥା ବିଜେଡ଼ି ଜପୁଥିବାବେଳେ ପରେପରେ କେବଳ ନବୀନଙ୍କ କଥା କୁହାଗଲା । ହଁ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଭାବେ ନବୀନଙ୍କୁ ପ୍ରଶଂସାରେ ପୋତିବା କିଛି ଭୁଲ୍ ନୁହେଁ । ହେଲେ ଯାହାଙ୍କ ନାମରେ ଦଳ ଗଢ଼ା ହୋଇଥିଲା ତାଙ୍କୁ ସ୍ମରଣ କରିବାରେ କେଉଁଠି ନା କେଉଁଠି ବିଜେଡ଼ି କୃପଣ ହୋଇଯାଇଥିଲା । ଯଦି ଚବିଶ ନିର୍ବାଚନ ବେଳର କଥା ମନେ ପକାଇବା ତେବେ ବିଜେଡ଼ିରେ ବିଜୁବାବୁଙ୍କ ସ୍ଥିତି କ’ଣ ଥିଲା ତାହା ସାରା ଓଡ଼ିଶା ଦେଖିଛି । ହୋର୍ଡ଼ିଂ ଓ ପୋଷ୍ଟରରେ ବିଜୁବାବୁ ହଜି ଯାଇଥିଲେ । ନବୀନ ବାବୁଙ୍କ ଫଟୋ ସହ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ଶୋଭା ପାଇଥିଲା । ତେଲମରାରେ ଅନେକ ବିଜେଡ଼ି ନେତା ଏତେ ବ୍ୟସ୍ତ ଥିଲେଯେ, ଅଧିକାଂଶ ପୋଷ୍ଟରରେ ନବୀନଙ୍କ ଭଳି ପାଣ୍ଡିଆନଙ୍କ ବଡ଼ ବଡ଼ ଫଟୋ ଛାପିବାକୁ ପଛାଇନଥିଲେ । ସେତେବେଳେ କିନ୍ତୁ ବିଜୁଙ୍କ ଅବଦାନକୁ ବିଜେଡ଼ି ଭୁଲିଯାଇଥିଲା । ଗତ କିଛିବର୍ଷ ଧରି ବିଜୁବାବୁଙ୍କୁ ଦଳର ନେତାମାନେ କେତେ ଭଲ ପାଉଥିଲେ ତାହା ଦଳର ନେତା ଓ କର୍ମୀମାନେ ଥରେ ଅନୁଶୀଳନ କଲେ ଜାଣିପାରିବେ । ଆଜି ବିଜୁବାବୁଙ୍କୁ ନେଇ ବିଜେଡ଼ି ଯେଉଁ ଆନେ୍ଦାଳନ କରିଛି ତାପଛରେ ବିଜୁବାବୁଙ୍କ ପ୍ରତି ଯେତିକି ଭଲ ପାଇବା ନାହିଁ ତା’ଠୁ ଅଧିକା ରାଜନୀତିକ ଉଦେ୍ଦଶ୍ୟ ନିହିତ ରହିଛି । କାହିଁକିନା ଏବେବି ବିଜୁଙ୍କୁ କୋଟି କୋଟି ଓଡ଼ିଆ ହୃଦୟରୁ ଭଲପାଆନ୍ତି । ତେଣୁ ରାଜନୀତିକ ରୁଟି ସେକିବାର ସୁଯୋଗକୁ ବିଜେଡ଼ି ହାତଛଡ଼ା ବି କେମିତି କରିବ ? କିନ୍ତୁ ଜନତା ସବ ଜାନ୍ତା ।