ଖୁରାନିଆ ହେବେ ଡିଜିପି

YB Khurania, Police DGP

ଖୁରାନିଆ ହେବେ ଡିଜିପି

ଭୁବନେଶ୍ୱର : ନୂଆ ଡିଜିପି ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା  । ବରିଷ୍ଠ ଆଇପିଏସ ଅରୁଣ କୁମାର ରାୟ, ଏସଏମ ନରଭାଣେ ଏବଂ ୱାଇବି ଖୁରାନିଆଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଧରିଛି  । ତେବେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଖୁରାନିଆ ରେସରେ ଆଗରେ ଥିବା କୁହାଯାଉଛି  ।

୧୯୯୦ ବ୍ୟାଚ ଆଇପିଏସ ଅରୁଣ ଷଡ଼ଙ୍ଗୀ ଏବେ ଅସ୍ଥାୟୀ ପୁଲିସ ଡିଜି ଭାବେ ଦାୟିତ୍ୱରେ ରହିଛନ୍ତି  । ଡିଜିପି ସୁନୀଲ ବଂଶଲ ଅବସର ନେବା ପରଠାରୁ ସେ ଏହି ପଦ ସମ୍ଭାଳିଛନ୍ତି  । ତେବେ ନୂଆ ଡିଜି ପାଇଁ ଏବେ ପ୍ରକ୍ରିୟା ଜୋରଦାର ହୋଇଛି  । ୧୯୮୮ ଆଇପିଏସ ଅରୁଣ ରାୟ, ୧୯୯୦ ବ୍ୟାଚ ଆଇପିଏସ ୱାଇବି ଖୁରାନିଆ ଓ ୧୯୯୦ ବ୍ୟାଚ ଆଇପିଏସ ଏସଏମ ନରଭାଣେଙ୍କ ବାୟୋଡାଟା ରାଜ୍ୟ ସରକାର ମାଗିଛନ୍ତି  । 

ତେବେ ହଠାତ୍‌ ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଅଣାଯିବା ପଛରେ ରହସ୍ୟ ଥିବା କୁହାଯାଉଛି  । ସେ ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଥିଲେ  । ଏହାଛଡ଼ା ପୂର୍ବରୁ ସେ ବିଏସଏଫ ମୁଖ୍ୟାଳୟରେ ସ୍ୱତନ୍ତ୍ର ଡିଜି (ଅପରେସନ) ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ଓଡ଼ିଶାରେ ଥିବାବେଳେ ସେ ଉତ୍ତର ଓ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଭୁବନେଶ୍ୱର ଡିଆଇଜି, ବିଜୁ ପଟ୍ଟନାୟକ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ସହିତ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମର ଏସପି ଭାବେ ବି କାର୍ଯ୍ୟ କରିଥିଲେ  । ଅପରପକ୍ଷରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବି ଭିନ୍ନ ଚର୍ଚ୍ଚା ହେଉଛି  । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିଯୁକ୍ତି ବେଳେ ବିରୋଧୀ ଅସ୍ମିତା ପ୍ରସଙ୍ଗ ଉଠାଇଥିଲେ  । ଏବେବି ଖୁରାନିଆଙ୍କ ଚର୍ଚ୍ଚା ବେଳେ ଅନରୂପ କଥା ଉଠିଛି  । ମୁଖ୍ୟ ସଚିବଙ୍କ ପରେ ଅଣଓଡ଼ିଆ ଡିଜି ହେଲେ ଭିନ୍ନ ବାର୍ତ୍ତା ଯିବ ବୋଲି ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛି  । ଯଦି ସେଭଳି ହୁଏ ତେବେ ଅରୁଣ ରାୟଙ୍କ ଉପରେ ବି ମୋହର ଲାଗିପାରେ ବୋଲି କେତେକ ମହଲରେ ଶୁଣିବାକୁ ମିଳୁଛି  ।