ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ଗୃହମନ୍ତ୍ରୀ , ଶହେ ଦିନରେ ୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ 


ାା ଏଜେନ୍ସି ।ା ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ନିଷ୍ପତ୍ତି ଓ ଉପଲବ୍ଧି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ପୁସ୍ତିକା "ବିକଶିତ ଭାରତର ମାର୍ଗ ପ୍ରଶସ୍ତ' ଓ  ଆଠଟି କଳାକୃତି ଉନ୍ମୋଚନ କରିଥିଲେ  । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ୧୦ ବର୍ଷ ମଧ୍ୟରେ ଦେଶର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଏକ ସୁରକ୍ଷିତ ଭାରତ ଗଠନରେ ବଡ଼ ସଫଳତା ହାସଲ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ । ସମଗ୍ର ବିଶ୍ୱରେ ଉତ୍ପାଦନ କାର୍ଯ୍ୟକଳାପ ପାଇଁ ଭାରତ ସବୁଠାରୁ ପସନ୍ଦର ସ୍ଥାନ ପାଲଟିଛି । ଶ୍ରୀ ଶାହ କହିଥିଲେ ଯେ ବିଶ୍ୱର ଅନେକ ଦେଶ ଆମ ଡିଜିଟାଲ ଇଣ୍ଡିଆ ଯୋଜନାକୁ ବୁଝିବାକୁ, ଗ୍ରହଣ କରିବାକୁ ଓ ସେମାନଙ୍କ ବିକାଶର ଆଧାର କରିବାକୁ ଚାହୁଁଛନ୍ତି  । ମହାକାଶ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସାକ୍ଷୀ । ଦେଶର ୬୦ କୋଟି ଗରିବ ଲୋକଙ୍କୁ ଘର, ଶୌଚାଳୟ, ଗ୍ୟାସ ସଂଯୋଗ, ପାନୀୟ ଜଳ, ବିଜୁଳି, ମାସିକ ୫ କେଜି ଶସ୍ୟ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଅଧୀନରେ ୯.୫୦ କୋଟି କୃଷକଙ୍କୁ ୨୦,୦୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି ।  ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨୦୨୪ରେ ଏପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ପରିବାରରେ ସୌର ଶକ୍ତି ପହଞ୍ଚିଛି । ୩୪୦୦ କୋଟି ଟଙ୍କା ସହାୟତାରେ ପିଏମ୍ ଇ-ବସ୍ ସେବାକୁ ଅନୁମୋଦନ କରିଛୁ ବୋଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଥିଲେ । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ଜୋନ୍ ନିର୍ମାଣ କରାଯିବ ଯାହାକୁ ପ୍ରମୁଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ ।
 ଜନଜାତିଆ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୬୩,୦୦୦ ଆଦିବାସୀ ଗ୍ରାମର ସମ୍ପୂର୍ଣ୍ଣ ବିକାଶ କରାଯିବ । ଦଳର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୭୦ ବର୍ଷ ରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ  । ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡି ଆମେ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଉପରେ ନିର୍ଭରଶୀଳତା ଦୂର କରିବା ଦିଗରେ ଅଗ୍ରସର ହେଉଛୁ । ଏଥିପାଇଁ ୩ ବର୍ଷର ଟାର୍ଗେଟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଥିଲେ । ୧୫୦ ବର୍ଷରୁ ଅଧିକ ପୁରୁଣା ଅପରାଧିକ ଆଇନକୁ ବଦଳାଇ ୨୦୨୪ ଜୁଲାଇ ୧ରେ ତିନୋଟି ନୂତନ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷୀ ଆଧିନିୟମ କାର୍ଯ୍ୟକାରୀ କରାଯାଇଛି  । ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ୬୩୫୦ କୋଟି ଟଙ୍କାର ନୂଆ ଯୋଜନା ଅଣାଯାଇଛି । ଉତ୍ତର-ପୂର୍ବାଞ୍ଚଳରେ ୪୧୦୦ କୋଟି ଟଙ୍କା ବ୍ୟୟରେ ଜଳ ବିଦୁ୍ୟତ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ଲଦାଖରେ ୫ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଛି । ନିଶା ନିବାରଣ ଓ ସୂଚନା ପାଇଁ ମାନସ ହେଲ୍ପଲାଇନ ଆରମ୍ଭ କରାଯାଇଛି  । ଆସନ୍ତା ୫ ବର୍ଷ ମଧ୍ୟରେ ୫୦୦୦ ସାଇବର କମାଣ୍ଡୋଙ୍କୁ ତାଲିମ ଦିଆଯିବ ଓ ସାଇବର ଅପରାଧ ପାଇଁ ଏକ ସନ୍ଦିଗ୍ଧ ରେଜିଷ୍ଟ୍ରି ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ ।
ମାଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ  ୧୫ ଲକ୍ଷ କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି । ଏହା ପଛର କାରଣ ହେଉଛି ସବୁ ରାଜନୈତିକ ଦଳ ନିର୍ବାଚନରେ ବ୍ୟସ୍ତ ଥିଲେ । କିନ୍ତୁ ନିର୍ବାଚନର ୬ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅମଲାତନ୍ତ୍ରକୁ ଦାୟିତ୍ୱ ଦେଇଥିଲେ ଯେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । ଯେତେବେଳେ ନୂଆ ସରକାର ଆସିବ, ତାହା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଯାହାଦ୍ୱାରା ଦେଶର ବିକାଶର ଗତିରେ ବାଧା ସୃଷ୍ଟି ହେବ ନାହିଁ । ଏହି ଚିନ୍ତାଧାରାର ଫଳସ୍ୱରୂପ ଆମେ ୧୦୦ ଦିନ ମଧ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟକୁ ବହୁ ଦୂରରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ଗୃହମନ୍ତ୍ରୀ କହିଥିଲେ । ଦେଶ ସୁରକ୍ଷିତ ସମୃଦ୍ଧ ହେବ ଏବଂ ନୂତନ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରି ଆମେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବୁ ବୋଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଥିଲେ  ।