ବଢ଼ିଲା କୁନ୍ଦ୍ରାଙ୍କ ଅଡୁଆ ଏବେ ଇଡ଼ି ସ୍କାନରରେ

 ମୁମ୍ବାଇ : ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡ଼ୁନି ସମସ୍ୟା । ପୂର୍ବରୁ କ୍ରିପ୍ଟୋ କରେନ୍ସି ଓ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ସେଥିରୁ ସାମାନ୍ୟ ଆଶ୍ୱସ୍ତି ହୋଇଥିବା ବେଳେ ଏବେ ପୁଣି ସେହି ଅଶ୍ଳୀଳ ଫିଲ୍ମ ବଣ୍ଟନ ଅଭିଯୋଗର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ତାଙ୍କୁ ସମନ ପଠାଇଛି । ତାଙ୍କୁ ପଚରାଉଚରା ପାଇଁ ଚଳିତ ସପ୍ତାହରେ ହିଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି  । ସେପଟେ ଏ ମାମଲାରେ ତାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତିଯେ, ଗଣମାଧ୍ୟମରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରେ ଏନଫୋର୍ସମେଣ୍ଟ ନିଦେ୍ର୍ଦଶାଳୟ ଚଢ଼ଉ କରିଛି ବୋଲି ଖବର ପ୍ରଚାର ହେଉଛି  । ଏକଥା କିନ୍ତୁ ସତ ନୁହେଁ  । ଶିଳ୍ପା ସେଟ୍ଟୀଙ୍କ କୌଣସି ଘରେ ବି ଇଡି ଚଢ଼ଉ କରିନାହିଁ । କାରଣ ଯେଉଁ ସବୁ ମାମଲା ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛି ସେଥିରେ ଶିଳ୍ପାଙ୍କର କୌଣସି ନେଣଦେଣ ନାହିଁ ବୋଲି ସେ କହିଛନ୍ତି ।  ସୂଚନାଯୋଗ୍ୟ ଇଡି ମୁମ୍ବାଇ ଏବଂ ଉତ୍ତରପ୍ରଦେଶର କେତେକ ସହର ସ୍ଥିତ ରାଜ କୁନ୍ଦ୍ରାଙ୍କ ଘର ଏବଂ ଅଫିସକୁ ମିଶାଇ ମୋଟ ୧୫ଟି ସ୍ଥାନରେ ଚଢ଼ଉ କରିଥିଲା ।  ଚଢ଼ଉ ପରେ ଏହି ସମନ ଜାରି କରାଯାଇଛି । ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ଇଡି ସମନ ଜାରି କରି ପଚରାଉଚରା ପାଇଁ ଡାକିଛି ।