ଜୀବନ ନେଲା ବିଏମ୍ଡବ୍ଲୁ: ଦୁର୍ଘଟଣାରେ ଜଣେ ମୃତ୍ୟୁ ,ଦୁଇ ଜଣ ଗୁରୁତର
ପୁଣି ଜୀବନ ନେଲା ଦାମୀ ଗାଡ଼ି। ବାଇକ୍କୁ ଧକ୍କା ଦେଲା ବିଏମ୍ଡବ୍ଲୁ କାର୍। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପଞ୍ଜାବର ମୋହଲିଠାରେ ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପଞ୍ଜାବ ମୋହାଲିର ଜିରକପୁର ପଟିଆଲା ହାଇଓ୍ୱେଠାରେ ବିଳମ୍ବିତ ରାତିରେ ଏକ ବିଏମ୍ଡବ୍ଲୁ କାର୍ ଦ୍ରୁତ ଗତିରେ ଆସି ଏକ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେପଟେ ଏହି ଦୁର୍ଘଟଣା ପରେ ମୃତକ ଓ ଆହତଙ୍କ ପରିବାର ଲୋକ ପଟିଆଲା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦୁର୍ଘଟଣା ପରେ ଏହି ଦାମୀ କାର୍କୁ ଚଳାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଡ୍ରାଇଭରକୁ ଖୋଜିବାକୁ ଚେଷ୍ଠା ଚଳାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରି ପୁଲିସ ମାମଲାର ତଦନ୍ତ ଜାରି ରଖିଛି।