ଟ୍ରକ ପିକ୍ଅପ୍ ଧକ୍କା : ଜଳିଗଲା ୨ ଗାଡ଼ି
ରାୟଗଡ଼ା : ରାୟଗଡ଼ା ସହରର ଝଞ୍ଜାବତି ନଦୀ ଉପରେ ଥିବା ମଝିଘରିଆଣି ମନ୍ଦିର ନିକଟ ପୋଲ ଉପରେ ଜଳି ଯାଇଛି ଟ୍ରକ୍ ଓ ଭ୍ୟାନ । ଏକ କୋଇଲା ବୋଝେଇ ଟ୍ରକ ସହ ପିକଅପ୍ ଭ୍ୟାନ୍ ଧକ୍କା ହେବା ପରେ ଦୁଇଟି ଗାଡି ହୁତୁହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ଦୁଇଟି ଗାଡିର ଡ୍ରାଇଭରଙ୍କ କିଛି କ୍ଷତି ହୋଇନଥିବା ବେଳେ ଭ୍ୟାନ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଭ୍ୟାନ୍ର ମରାମତି କରିବା ପାଇଁ ଅତଡା ଗ୍ରାମରୁ ରାୟଗଡା ଆସୁଥିବା ସମୟରେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା କୋଇଲା ବୋଝେଇ ୧୬ ଚକିଆ ଟ୍ରକଟି ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ଭ୍ୟାନର ପଛପଟୁ ଧକ୍କା ଦେଇଥିଲା ଯାହା ଫଳରେ କୋଇଲା ବୋଝେଇ ଟ୍ରକ ଓ ଭ୍ୟାନଟି ସମ୍ପୂର୍ଣ ପୋଡି ଯାଇଥିଲା । ସେତେବେଳେ ଦୁଇଟି ଗାଡିର ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ସେମାନେ ବର୍ତ୍ତି ଯାଇଥିବା ବେଳେ ଭ୍ୟାନ୍ର ହେଲ୍ପର ଆହତ ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏଣେ ଏହି ଦୁର୍ଘଟଣା ପରେ ରାୟଗଡା-ଆନ୍ଧ୍ରପ୍ରଦେଶ ଯାତାୟାତ ଦୀର୍ଘ ସମୟ ଯାଏଁ ବନ୍ଦ ରହିଥିଲା । ଯଦ୍ୱାରା ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା । ଏଭଳିକି ଆମ୍ବୁଲାନ୍ସ ଯିବା ମଧ୍ୟ ବନ୍ଦ ରହିଥିଲା ।