ଶିକାରୀଙ୍କ ପାଇଁ ଲାଗିବ ଏଆଇ କ୍ୟାମେରା
ଭୁବନେଶ୍ୱର: ଶିମିଳିପାଳର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବେ । ଯାହାକୁ ନେଇ ଆଜି ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ସୂଚନା ଦେଇଛନ୍ତି । ଶିମିଳିପାଳର ଉନ୍ନତ ଜୈବବିବିଧତା ଏବଂ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଏହାକୁ ୧୯୭୩ ମସିହା ଠାରୁ ବ୍ୟାଘ୍ର ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ଭିତ୍ତିଭୂମିକୁ ମଜବୁତ କରିବାପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା-ପ୍ରୋଜେକ୍ଟ ବ୍ୟାଘ୍ର ମାଧ୍ୟମରେ ନିରନ୍ତର ଆର୍ଥିକ ସହଯୋଗର ବ୍ୟବସ୍ଥା କରାଯାଉଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବନ୍ୟ ଜନ୍ତୁ ସଂରକ୍ଷଣକୁ ସୁଦୃଢ କରିବା ନିମନ୍ତେ ଆଗାମୀ ୧୦ ବର୍ଷ ପାଇଁ ନୂତନ ବ୍ୟାଘ୍ର ସଂରକ୍ଷଣ ଯୋଜନା ୨୦୨୩-୨୪ ଠାରୁ ୨୦୩୨-୩୩ ପର୍ଯନ୍ତ ଅନୁମୋଦିତ ହୋଇଛି । ଶିକାରୀ ଓ ବନ୍ୟଜନ୍ତୁମାନଙ୍କର ତଦାରଖ ନିମନ୍ତେ ଏଆଇ କ୍ୟାମେରା, ଇନଫ୍ରା ରେଡ କ୍ୟାମେରା ଏବଂ ଟ୍ରାପ୍ କ୍ୟାମେରା ଲଗାଯାଇଛି । ବୃକ୍ଷ ଏବଂ ବନ୍ୟଜନ୍ତୁମାନଙ୍କର ଉନ୍ନତ ବିବିଧତାର ସୁରକ୍ଷା ନିମନ୍ତେ ଶିମିଳିପାଳ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବାହିନୀମାନଙ୍କୁ ନିୟୋଜିତ କରାଯାଇଛି । ଏହାସହ ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାୟୀବନ କର୍ମଚାରୀ, ଉପବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଅଛି । ସୁରକ୍ଷା ସହାୟକ ଏବଂ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶିକାର ଖବର ପ୍ରାପ୍ତ ପାଇଁ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଗାଡି ଏବଂ ତଥ୍ୟ ସରବରାହ ପାଇଁ ସ୍ଥାୟୀ ବେତାର କେନ୍ଦ୍ରମାନ ସ୍ଥାପନ କରାଯାଇଛି । ନିଷେଧାଦେଶ ବନ୍ୟଜନ୍ତୁ ପ୍ରବନ୍ଧଗୁଡିକର ଚୋରା କାରବାର ଉପରେ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଏସ୍-ୱିନର ଗଠନ କରାଯାଇଛି । ଶିକାରୀମାନଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଅବାଧ ପ୍ରବେଶ କରୁଥିବା ଦୁର୍ବୃତ୍ତମାନଙ୍କ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ୧୩୫ ଗୋଟି ଶିକାର ନିରୋଧକ ଶିବିର ଓ ଅସ୍ଥାୟୀ ମଞ୍ଚା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରେ ଏବଂ ୭୯ ଗୋଟି ଶିକାର ନିରୋଧକ ଶିବିର ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡରେ ସ୍ଥାପନ କରାଯାଇଛି । ନିଆଁ ଦାଉରୁ ସୁରକ୍ଷା ପାଇଁ ଗ୍ରୀଷ୍ମ ଋତୁରେ ଅଗ୍ନି ରେଖା ସୃଷ୍ଟି କରାଯାଉଛି । ସ୍ୱତନ୍ତ୍ର ଅଗ୍ନି ନିର୍ବାପକ ସ୍କ୍ୱାର୍ଡ ସୃଷ୍ଟି କରାଯାଉଛି । ଲୋକମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି । ବାଘ ତଥା ଅନ୍ୟ ବନ୍ୟଜନ୍ତୁମାନଙ୍କର ଗତିବିଧିକୁ ଅନୁସରଣ କରିବା ପାଇଁ ଏମ୍-ଷ୍ଟ୍ରାଇପସ ଓ ଫେଜ୍-ଆଭି ବ୍ୟବସ୍ଥା ହୋଇଛି । ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଛି । ବନ୍ୟଜୀବଙ୍କ ଖାଦ୍ୟ ଓ ପାନୀୟର ଆବଶ୍ୟକତାକୁ ପୁରଣ ପାଇଁ ଘାସ ପଡିଆ ପରିଚାଳନା, ସଲ୍ଟ ଲିକ୍ ପରିଚାଳନା ତଥା ଜଳାଶୟ ଆଦି ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସଂରକ୍ଷଣ ନିମନ୍ତେ ସ୍ଥାୟୀ ବନ କର୍ମଚାରୀ ଓ ପୋଲିସ କର୍ମଚାରୀକୁ ନେଇ ସ୍ୱତନ୍ତ୍ର ଜେଟିଏଫ ଦଳ ଗଠନ କରାଯାଇଛି । ବିଗତ ୩ ବର୍ଷ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୧୦୩ଟି ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରାଯାଇଛି, ୨୫୫ ଜଣ ଶିକାରୀ ଗିରଫ ହୋଇଛନ୍ତି ଓ ୫୭ଟି ବନ୍ଧୁକ ଜବତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ।