ଏସନ ବର୍ଷା ଘନଘନ

ଭୁବନେଶ୍ୱର: ଆଗୁଆ ମୌସୁମୀ ଆସିଥିଲେବି ସାଧାରଣତଃ ଜୁନ୍ରୁ ମୌସୁମୀ ଋତୁ ଆରମ୍ଭ ହୋଇଥାଏ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦୀର୍ଘମିଆଦୀ ହାରାହାରି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ଜୁନ୍ରେ ୧୦୮% ବର୍ଷା ହେବାର ସମ୍ଭାବନା ରହିଛି । ଯେତେବେଳେକି ମୌସୁମୀ ଋତୁରେ ୧୦୬% ବର୍ଷା ହେବ । ଅର୍ଥାତ୍ ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବବୋଲି ଆଇଏମଡ଼ି ଆକଳନ କରିଛି ।
ଆଇଏମଡ଼ି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିଯେ, ଚଳିତ ବର୍ଷ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ସ୍ୱାଭାବିକ ଠାରୁ ୧୦୬% ଅଧିକ ବର୍ଷା ହେବ । ମଡ଼େଲ ତ୍ରୁଟି + ୪ ଓ -୪ ରହିବ । ମଧ୍ୟଭାରତ ଓ ଦକ୍ଷିଣ ଉପଦ୍ୱୀପ ଭାରତରେ ଏଲପିଏର ୧୦୬%ରୁ ଅଧିକ ହେବାର ଥିବାବେଳେ ଉତ୍ତରପଶ୍ଚିମ ଭାରତରେ ଏଲପିଏର ୯୨ରୁ ୧୦୮% ବର୍ଷା ହେବ । ଅର୍ଥାତ୍ ଉତ୍ତର ପଶ୍ଚିମ ଭାରତରେ ବର୍ଷା ସ୍ୱାଭାବିକ ରହିବ । ସେହିପରି ପୂର୍ବ ଭାରତରେ ଏଲପିଏରୁ ସାମାନ୍ୟ କମ୍ ଅର୍ଥାତ୍ ୯୪% ବର୍ଷା ହେବା ନେଇ ଆକଳନ କରାଯାଇଛି । ଅପରପକ୍ଷରେ କୃଷି କ୍ଷେତ୍ର ସହ ମିଶି ହୋଇଥିବା ମନସୁନ କୋର ଜୋନ୍ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ୧୦୬% ହେବବୋଲି ପୂର୍ବାନୁମାନ କରାଯାଇଛି । ଗାଏମୋଟ୍ ଦେଖିଲେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ, ଉତ୍ତର ପଶ୍ଚିମ, ପୂର୍ବ ଭାରତ କିଛି ଅଂଶକୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ଅଧିକ ବର୍ଷା ହେବ । ସାରା ଦେଶରେ ଜୁନ୍ରେ ଏଲପିଏର ୧୦୮%ରୁ ଅଧିକ ବର୍ଷା ହେବବୋଲି ଆକଳନ କରାଯାଇଛି । ଏହି ସମୟରେ ଦେଶରେ ତାପମାତ୍ରା ସ୍ୱାଭାବିକ ବା ତା’ଠାରୁ କମ୍ ରହିବାର ସମ୍ଭାବନା ରହିଛି । ସମ୍ପ୍ରତି ଭୂମଧ୍ୟରେଖୀୟ ଏଲନିନୋ ଦକ୍ଷିଣ ଦୋଳନ ବା ଇଏନଏସଓ ସ୍ଥତିି ରହିଛି । ବିଭିନ୍ନ ଜଳବାୟୁ ମଡ଼େଲ ଅନୁଯାୟୀ, ମୌସୁମୀ ସମୟରେ ଏହି ଇଏନଏସଓ ସ୍ଥିତି ଜାରିରହିବ । ଅପରପକ୍ଷରେ ଜୁଲାଇରେ ବର୍ଷା ନେଇ ଜୁନ୍ ଶେଷ ସପ୍ତାହରେ ପୂର୍ବାନୁମାନ ଜାରି କରାଯିବ ବୋଲି ଆଇଏମଡ଼ି ପକ୍ଷରୁ କୁହାଯାଇଛି ।