ପାଲା ସମ୍ମିଳନୀ ଉଦ୍ୟାପିତ
ନୂଆପଡ଼ା : ଖଡ଼ିଆଳ ଗାୟତ୍ରୀ ନଗରଠାରେ ଆୟୋଜିତ ନୂଆପଡ଼ା ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ପାଲା ସଂସ୍କୃତିର ବିକାଶରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ । ଗାୟକ ପଶ୍ଚିମ କେଶରୀ ଅର୍ଜୁନ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ପାଲାକାର ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ନାମ ଯଜ୍ଞ କମିଟି ଗାୟତ୍ରୀ ନଗରର ସଭାପତି ଅଜିତ ସାହୁ ଅନ୍ୟତମ ଅତିଥିଭାବରେ ଯୋଗଦେଇ ଏହି ପାଲା ସମ୍ମିଳନୀ ଅଦ୍ୱିତୀୟ ଓ ଏହା ଓଡ଼ିଆ ପାଲାକାରମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାହିତି୍ୟକ ଗୌରାଙ୍ଗ ସାହୁ ପାଲା ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଓଡ଼ିଆ ଜନ ଜୀବନରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଦୀପ୍ତ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜୟଦେବ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରଦୁ୍ୟମ୍ନ ସରାଫ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ବରିଷ୍ଠ ପାଲା ଗାୟକ ରାଧେଶ୍ୟାମ ପଣ୍ଡାଙ୍କୁ ଗାୟକ ପଶ୍ଚିମ ସମ୍ରାଟ ଉପାଧିରେ ପ୍ରଦାନ କରାଯାଇଥିଲା । ଏହି ସଭାରେ ରାଧା ମୋହନ ଦଣ୍ଡସେନା, ଦାମୋଦର ବିଶିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସ୍ୱର୍ଗତ ଗାୟକ ଶ୍ରୀପତି ଶବରଙ୍କୁ ମରନୋତ୍ତର ସମ୍ମାନ ଦିଆଯାଇଥିଲା । ପରେ ଜିଲ୍ଲାର ପାଲା ଦଳ ସବୁ ପାଲା ପରିବେଷଣ କରିଥିଲେ । ପରିଷଦ ସଭାପତି ଅମୂଲ୍ୟ ମୁଣ୍ଡା, ଉପସଭାପତି ଡୋଳାମଣି ଦଣ୍ଡସେନା, ସମ୍ପାଦକ କୁନାଲ ଚରଣ ବେହେରା, କୋଷାଧ୍ୟକ୍ଷ ଜୟଦେବ ବେହେରା, ଦୀନବନ୍ଧୁ ଛତ୍ରିଆ, ନବୀନ ନାଗ, ଶାମ୍ବ ସରାଫ, କୃଷ୍ଣ ତାଣ୍ଡି, ବାପିନା ସାହୁ, ଚନ୍ଦ୍ର ଶେଖର ବେହେରା ପ୍ରମୁଖ ସହଯୋଗ କରିଥିଲେ ।