ଆଜିଠାରୁ ତୋଷାଳି ମେଳା
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲ ପଡ଼ିଛି । ୩୦ ଲକ୍ଷ ଜନ ସମାଗମ ହେବାର ଥିବାବେଳେ ୨୮ କୋଟିର କାରବାର ହେବବୋଲି ଲକ୍ଷ୍ୟ ରଖାଯାଇଛି । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।
ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତିଯେ, ତୋଷାଳି ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏହାର ଉଦଘାଟନ କରିବେ । ସୂଚନାଯୋଗ୍ୟ, ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟଲ ପଡ଼ିବ । ସେହିପରି ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ୨୫ ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଥିମ ପାଭିଲିଅନ୍ ‘ଶିଳ୍ପ ସୃଜନୀ’ ପ୍ରସ୍ତୁତ ହୋଇଛି ।
ଦିବା ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ‘ଫ୍ୟାସନ ସୋ’ ମଧ୍ୟ କରାଯିବ । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ, ବୟନ ଓ ହସ୍ତତନ୍ତ ନିଦେ୍ର୍ଦଶକ ବିକ୍ରମାଦିତ୍ୟ ବାରିକ, ହସ୍ତଶିଳ୍ପ ନିଦେ୍ର୍ଦଶକ ତଥା ବୟନିକାର ପରିଚାଳନା ନିଦେ୍ର୍ଦଶକ ପ୍ରଣତୀ ଛୋଟରାୟ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଯୁଗ୍ମ ନିଦେ୍ର୍ଦଶକ ଶିଶିର କୁମାର ରଥ, ଉପ ନିଦେ୍ର୍ଦଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।