ଗହୀରମଥାରେ କରୁନାହାନ୍ତି ଗଣଅଣ୍ଡାଦାନ : ଅଲିଭରିଡଲେ ପଡୁଛି କି ଜଳବାୟୁ ପରିବର୍ତ୍ତନର ପ୍ରଭାବ!

ଗହୀରମଥାରେ କରୁନାହାନ୍ତି ଗଣଅଣ୍ଡାଦାନ : ଅଲିଭରିଡଲେ ପଡୁଛି କି ଜଳବାୟୁ ପରିବର୍ତ୍ତନର ପ୍ରଭାବ!

 ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ । ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭରିଡଲେ କଇଁଛ ନିଜର ବଂଶବିସ୍ତାର କରିବା ପାଇଁ ଗହୀରମଥାକୁ ଆସି ମେ ମାସ ଶେଷରେ ଫେରି ଯାଇଥାନ୍ତି । ୧୯୭୫ମସିହାରୁ ଗହୀରମଥା ଅଭୟାରଣ୍ୟରେ ଅଲିଭରିଡଲେ ଗଣଅଣ୍ଡାଦାନ କରୁଥିବା ନେଇ ଦୃଷ୍ଟି ଗୋଚରକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ୧୯୯୭ ମସିହା ସେପ୍ଟେମ୍ବର ୨୭ତାରିଖରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କଲେ । ଏହା ଏକ ଅଭୟାରଣ୍ୟ ହୋଇଥିଲେ ମଧ୍ୟ ରାଜନଗର ବନଖଣ୍ଡ ଅଧିନରେ ଜଣେ ରେଞ୍ଜ ଅଫିସର ଦାୟିତ୍ୱରେ ରହି ଆସୁଛନ୍ତି । ସମୁଦ୍ର ଉପକୂଳରୁ ୨୦କି.ମି ଯାଏଁ ଗହୀରମଥା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏପରିକି ନଭେମ୍ବର ପହିଲାରୁ ମେ ମାସ ୩୧ ଯାଏ ସାତମାସ ଯାଏ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏ ବନବିଭାଗ ପକ୍ଷରୁ କଡାକଡି କଟକଣା ଜାରି କରାଯାଇଥାଏ । ବନବିଭାଗ ସହିତ ମସô୍ୟବିଭାଗ, ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ସୁରକ୍ଷାରେ ସାମିଲ ହୋଇଥାନ୍ତି । ବନକର୍ମଚାରୀଙ୍କ କହିବାନୁଯାୟୀ, କିଛିଦିନ ହେବ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ଅଲିଭରିଡଲେ ଦେଖିବାକୁ ମିଳୁଥିବା ବେଳେ କାହିଁକି ଗଣଅଣ୍ଡାଦାନରେ ସାମିଲ ହେଉନାହାଁନ୍ତି, ତାହା ଆଶ୍ଚର୍ଯ୍ୟର ବିଷୟ । ଯାହାକି ପ୍ରକୃତିପ୍ରେମୀ ଓ ପରିବେଶବିତ୍ମାନଙ୍କୁ ଚିନ୍ତାରେ ପକାଇଛି । ଗଣଅଣ୍ଡାଦାନ ପ୍ରକ୍ରିୟାରେ ପଡୁଛି କି କ୍ଷେପଣାସ୍ତ୍ର ପରୀକ୍ଷଣର ପ୍ରଭାବ । ସାଧାରଣତଃ ଅଲିଭରିଡଲେ କଇଁଛ ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ଗଣଅଣ୍ଡାଦାନ ଆରମ୍ଭ କରିଥାନ୍ତି । ଫେବୃୟାରୀ ଶେଷ ଓ ମାର୍ଚ୍ଚ ମାସରେ ଗଣଅଣ୍ଡାଦାନ ହେଉଥିବା ବେଳେ, ଗତ ଫେବୃୟାରୀ ୨୮ତାରିଖ ଦିନ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା । ଏପରିକି ମାର୍ଚ୍ଚ ୪ତାରିଖରେ ମଧ୍ୟ ଅନ୍ୟ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । କ୍ଷେପଣାସ୍ତ୍ର ଘାଟିଠାରୁ ମାତ୍ର ଅଳ୍ପ ଦୂରରେ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ରହିଛି । ଜଳବାୟୁ ପରିବର୍ତନ ନାଁ କ୍ଷେପଣାସ୍ତ୍ର ପରୀକ୍ଷଣର ପ୍ରଭାବ ଗଣଅଣ୍ଡାଦାନକୁ ପ୍ରଭାବିତ କରିନାହିଁ ତ ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଗର ପ୍ରତିକୂଳ ନଥିବା ବେଳେ ମା କଇଁଛମାନେ ସମୁଦ୍ର କୂଳବର୍ତୀ ଅଂଚଳରେ ବହୁ ପରିମାଣରେ ଦେଖାଯାଉଥିବା ବେଳେ ଗଣଅଣ୍ଡାଦାନ କରୁନାହାଁନ୍ତି କାହିଁକି ? ଅନେକ ସମୟରେ ଅଲିଭରିଡଲେଙ୍କ ଗଣଅଣ୍ଡାଦାନ ମଧ୍ୟ ବିଳମ୍ବରେ ହୋଇଥାଏ । ଏପରିକି ମାର୍ଚ୍ଚ ଶେଷ ସପ୍ତାହ ଓ ଅପ୍ରେଲ ମାସରେ ମଧ୍ୟ ଗଣଅଣ୍ଡାଦାନ ହୋଇଥିବା ମଧ୍ୟ ନଜିର ରହିଛି । ସମୁଦ୍ର କୂଳବର୍ତୀ ଅଞ୍ଚଳରେ୨୭୦ଟି ମା କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।