ଖେଳାଳି ସୃଷ୍ଟିରେ ବାଧକ ହାଇ ପର୍ଫମାନ୍ସ ସେଣ୍ଟର!

 ଭୁବନେଶ୍ୱର : ରାଜ୍ୟରେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେଉଥିବା ବେଳେ କାହିଁକି ନୂଆ ଖେଳାଳି ସୃଷ୍ଟି ହେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଶହ ଶହ କୋଟି ଟଙ୍କାରେ ବ୍ଲକ୍ରୁ ନେଇ ରାଜଧାନୀ ପର୍ଯ୍ୟନ୍ତ କ୍ରୀଡ଼ାର ଭିତ୍ତିଭୂମି ସୁଦୃଢ କରାଯାଉଛି । ହେଲେ ଖେଳାଳି ସୃଷ୍ଟି ହୋଇପାରୁ ନାହାନ୍ତି । କେବଳ ସେତିକି ନୁହେଁ ଆହୁରି ଉନ୍ନତମାନର ଖେଳାଳି ସୃଷ୍ଟି ପାଇଁ ହାଇ ପର୍ଫମାନ୍ସ ସେଣ୍ଟର ଭଳି ଭିତ୍ତିଭୂମି ତିଆରି କରାଯାଇଛି । ହେଲେ ସେଇ କିଛି ପୁରୁଣା ଖେଳାଳିଙ୍କୁ ଛାଡି ଦେଲେ ନୂଆ ଖେଳାଳି ଉଭା ହେଉ ନାହାନ୍ତି କହିଲେ ଚଳେ । 
ପୂର୍ବରୁ କ୍ରୀଡ଼ା ଛାତ୍ରବାସରେ ହିଁ ଖେଳାଳି ରହି ପ୍ରଶିକ୍ଷିତ ହେଉଥିଲେ । ଆଜି ଭଳି ଉନ୍ନତମାନର ଜ୍ଞାନ କୌଶଳ ବିଶିଷ୍ଟ ପ୍ରଶିକ୍ଷଣ ବ୍ୟବସ୍ଥା ନ ଥିଲେ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହେଇଥିଲେ । ଦୂତି ଚାନ୍ଦ, ଅମୀୟ ମଲ୍ଲିକ, ଶ୍ରାବଣୀ ନନ୍ଦ ହୁଅନ୍ତୁ କି ବିରେନ୍ଦ୍ର ଲାକ୍ରା, ଅମୀତ ରୋହିଦାସ, ଦିପ ଗ୍ରେସ ଏକ୍କା, ଲାଜରୁସ ବାର୍ଲାଙ୍କ ଭଳି ଅଲିମ୍ପିକ୍ସସ୍ତରୀୟ ହକି ଖେଳାଳି ହୁଅନ୍ତୁ ସମସ୍ତେ କ୍ରୀଡ଼ା ଛାତ୍ରାବାସରୁ ସୃଷ୍ଟି ହେଇଛନ୍ତି । ହେଲେ ଆଜି ହାଇ ପର୍ଫମାନ୍ସ ସେଣ୍ଟର ଭଳି ବ୍ୟବସ୍ଥା ଥିଲେ ମଧ୍ୟ କାହିଁକି ଖେଳାଳି ବାହାରୁ ନାହାନ୍ତି ତାହାକୁ ନେଇ ତର୍ଜମାର ଆବଶ୍ୟକତା ରହିଛି । 
ପୂର୍ବତନ ଖେଳାଳି ଓ କୋଚ୍ଙ୍କ ମତରେ ହାଇ ପର୍ଫମାନ୍ସ ସେଣ୍ଟର ସବୁ ଶ୍ରେୟ ଏକାକି ନେଇଯାଉଥିବା ହେତୁ ନୂଆ ଖେଳାଳି ସୃଷ୍ଟି କରିବାକୁ ଚାହୁଁନାହାନ୍ତି କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ । କିଛି କୋଚ୍ଙ୍କ ସହିତ ଆଲୋଚନା ବେଳେ ଏହା ମଧ୍ୟ ସ୍ପଷ୍ଟ ଭାବରେ ସେମାନେ ସ୍ୱିକାର କରିଛନ୍ତି । ସେମାନଙ୍କ କହିବା କଥା ଗୋଟିଏ ଖେଳାଳି ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ନୂଆ କରି କ୍ରୀଡ଼ା ଛାତ୍ରାବାସକୁ ଆସିଥାଏ ତାହା ପଛରେ ଅନେକ ପରିଶ୍ରମ କରି ତାହାକୁ ଆମେ ରାଜ୍ୟସ୍ତରରେ ଏମିତିକି ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତ କରିଥାଉ । ହେଲେ ସେମାନେ ଯେତେବେଳେ ଜାତୀୟ ସ୍ତରରେ ଏକାଧିକ ପଦକ ହାସଲ କରନ୍ତି ତା ପରବର୍ତ୍ତୀ ମୂହୁର୍ତ୍ତରେ ହାଇ ପର୍ଫମାନ୍ସ ସେଣ୍ଟରକୁ ଚାଲି ଯାଇଥାନ୍ତି । ସେହି ଖେଳାଳି ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରେ ସେହି ସମୟରେ ତିଳେ ମାତ୍ର ଶ୍ରେୟ କ୍ରୀଡ଼ା ଛାତ୍ରାବାସର କୋଚ୍ଙ୍କୁ ଯାଏ ନାହିଁ; ବରଂ ସମସ୍ତ ଶ୍ରେୟ ଯାଇଥାଏ ହାଇ ପର୍ଫର୍ମାନ୍ସ ସେଣ୍ଟରକୁ; ଯାହାକି ମନରେ ଅନେକ କଷ୍ଟ ଦେଇଥାଏ ବୋଲି କହିଛନ୍ତି ।
ଅନ୍ୟପଟେ ଅନେକ ଆଲୋଚନା ପରେ ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଥିବା ହାଇ ପର୍ଫର୍ମାନ୍ସ ସେଣ୍ଟରରେ ଅନେକ ବାହାର ରାଜ୍ୟର କୋଚ ଆସି ପ୍ରଶିକ୍ଷଣ ଦେଉଛନ୍ତି । ଅଧିକାଂଶ ହେଉଛନ୍ତି ଅଣ ଓଡିଆ । ତେଣୁ ସେମାନଙ୍କ ମନରେ ଓଡ଼ିଆ ଖେଳାଳିଙ୍କ ପାଇଁ ସେତେ ମାତ୍ରାରେ ଆତ୍ମୀୟତା ରହୁନାହିଁ । ବାହାରୁ ଆସୁଥିବା ପ୍ରଶିକ୍ଷକ ମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପାଇଁ ଆସୁଛନ୍ତି, ଲକ୍ଷାଧିକ ଟଙ୍କା ନେଉଛନ୍ତି ହେଲେ ନୂଆ ଖେଳାଳି ସୃଷ୍ଟି କରିପାରୁ ନାହାନ୍ତି । ଫଳରେ ଓଡ଼ିଶା ତରଫରୁ ଅନେକ ଅଣଓଡିଆ ଖେଳାଳି ଖେଳୁଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସିଛି । ଏମିତିକି ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ସରକାର ମଧ୍ୟ ଏ ଦିଗରେ ଆଜି ପର୍ଯ୍ୟନ୍ତ ସେମିତି କିଛି ଖାସ କାମ କରି ନାହାନ୍ତି ।