ଯାହା ବି କିଛି ହେଲା, ସେଥିପାଇଁ ‘ସରି’: ଅଲ୍ଲୁ ଅର୍ଜୁନ୍

ଯାହା ବି କିଛି ହେଲା, ସେଥିପାଇଁ ‘ସରି’: ଅଲ୍ଲୁ ଅର୍ଜୁନ୍

 ଜେଲରୁ ମୁକୁଳିସାରିଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ଗୋଟିଏ ରାତି ଜେଲରେ କାଟିବା ପରେ, ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି ‘ପୁଷ୍ପାରାଜ୍’ । ତେବେ ଅଲ୍ଲୁ ଆଜି ଜେଲରୁ ମୁକୁଳିବା ପରେ ତାଙ୍କୁ ତାଙ୍କ ବାପା ଓ ଶଶ୍ବୁର ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ । ଆଉ କଡା ସୁରକ୍ଷା ଭିତରେ ଗୋଟିଏ କଳା ରଙ୍ଗର କାରରେ ବସି ଘରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ୍ । ତେବେ ଘରେ ପହଞ୍ଚିବା ପରେ ପ୍ରଥମ କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଏହି ସାଉଥ୍ ସୁପରଷ୍ଟାର ।

ଅଲ୍ଲୁ ଅର୍ଜୁନ୍ କହିଥିଲେ, ଚିନ୍ତା କଲା ଭଳି କୌଣସି କଥା ନାହିଁ । ମୁଁ ବର୍ତ୍ତମାନ ଠିକ୍ ଅଛି । ମୁଁ ଆଇନ୍ ଉପରେ ବିଶ୍ୱାସ ରଖିବା ଲୋକ । ଯେହେତୁ ଅଦାଲତରେ ଏହି କେସ୍ ଚାଲିଛି, ତେଣୁ ଏହା ଉପରେ ମୁଁ କୌଣସି ବି କମେଣ୍ଟ କରିବାକୁ ଚାହୁଁନି । ତେବେ ମୁଁ ନିଶ୍ଚୟ ଆଇନ୍ କାନୁନର ପାଳନ କରିବି ଏବଂ ପୋଲିସ୍ ସହ ସହଯୋଗ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ ।

ଅନ୍ୟପଟେ ମୃତ ମହିଳାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ୍ । ଯେଉଁ ମହିଳାଙ୍କ ଜୀବନ ଯାଇଛି, ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ । ଏହି ଘଟଣା ଦୁର୍ଭାଗ୍ୟଜନକ ଥିଲା । ତେଣୁ ସେହି ପରିବାରକୁ ମୁଁ ଯଥାସମ୍ଭବ ସହାୟତା ପ୍ରଦାନ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ । ଏହାସହ ଗଲା ୨୦ ବର୍ଷ ହେଲା ମୁଁ ଫିଲ୍ମ ହଲକୁ ଯାଉଛି, ହେଲେ ଏଥର କିନ୍ତୁ ଏହି ଘଟଣା ଗୋଟିଏ ଅନ୍ୟ ମୋଡ ନେଲା ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ୍ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦରେ ପୁଷ୍ପା-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳାଚକଟା କାରଣରୁ ଜଣେ ମହିଳା ପ୍ରାଣ ହରାଇଥିଲେ । ଯେଉଁ ମାମଲାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ୍ । ଏହାପରେ ଅଲ୍ଲୁ ଅର୍ଜୁନଙ୍କୁ ତଳ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଥିଲା । ହେଲେ ତେଲେଙ୍ଗାନା ହାଇକୋର୍ଟ କିନ୍ତୁ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ।