ଡାଳିମ୍ବ ଚୋପାର ଉପକାରିତା

ଡାଳିମ୍ବ ଚୋପାର ଉପକାରିତା

ଡାଳିମ୍ବକୁ ବିଭିନ୍ନ ଉପକାରୀ ଫଳ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ଏଥିରେ ଜିଙ୍କ, ପୋଟାସିୟମ୍, ଆଇରନ୍ ଏବଂ ଓମେଗା-6 ଫ୍ୟାଟି ଏସିଡ୍ ଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ହେଲେ ଡାଳିମ୍ବ ଚୋପା ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି?

 କେବଳ ଡାଳିମ୍ବ ନୁହେଁ, ଏହାର ଚୋପାରେ ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଅନେକ ଲୋକ ଡାଳିମ୍ବ ଖାଇ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ଏହାର ଚୋପାକୁ ସଠିକ୍ ଭାବେ ବ୍ୟବହାର କରିପାରିବେ ତେବେ ହୃଦୟ ସ୍ୱାସ୍ଥ୍ୟଠୁ ନେଇ ମେଦବହୁଳତା ପର୍ଯ୍ୟନ୍ତ ବଡ଼ ବଡ଼ ସମସ୍ୟାକୁ ଦୂର କରିପାରିବେ! କିପରି, ଜାଣନ୍ତୁ... 

ହୃଦୟକୁ ସୁସ୍ଥ ରଖେ- ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଳିମ୍ବ ଚୋପାର ଚା' ପିଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ହୋଇପାରେ। କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଲେ, ହୃଦୟ ସ୍ୱାସ୍ଥ୍ୟ ଆପଣାଛାଏଁ ବଜାୟ ରହିଥାଏ। 

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ଡାଳିମ୍ବରୁ ଭିଟାମିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ତେଣୁ ଡାଳିମ୍ବ ଚା' ପିଇବା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢି ପାରିବ। ଫଳରେ ମୌସୁମୀରେ ହେଉଥିବା ସାଧାରଣ ଥଣ୍ଡା-ଜ୍ୱର ଏବଂ ସଂକ୍ରମଣ ସମସ୍ୟା ହେବ ନାହିଁ। 

ଓଜନ ହ୍ରାସ- ଡାଳିମ୍ବ ଚୋପା ଚା' ଓଜନ ହ୍ରାସ କରିବାରେ ବେଶ୍ ଲାଭଦାୟକ ହୋଇପାରିବ। ମେଦବହୁଳତା ଥିଲେ ଦିନକୁ ଥରେ ଡାଳିମ୍ବ ଚୋପା ଚା' ପିଇବା ଆବଶ୍ୟକ। ଏହି ଚା' ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯାଏ। ଫଳରେ ମେଦବହୁଳତା ସମସ୍ୟା ଦୂର ହୋଇପାରିବ।