ମହାବାତ୍ୟା ପରେ, କେନ୍ଦ୍ରାପଡ଼ାକୁ ପ୍ରଭାବିତ କରିଛି ୭ଟି ବାତ୍ୟା 

ମହାବାତ୍ୟା ପରେ, କେନ୍ଦ୍ରାପଡ଼ାକୁ ପ୍ରଭାବିତ କରିଛି ୭ଟି ବାତ୍ୟା 

ଉତ୍କଳ କେଶରୀ ପାହାଡସିଂ : କେନ୍ଦ୍ରାପଡ଼ା:- ବାତ୍ୟା ପ୍ରବଣ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା।ବାତ୍ୟା ଆସିଲେ ଏହାର ପ୍ରକୋପରେ ଉପକୂଳ ଜିଲ୍ଲା ମାନଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ।ବିଗତ ବର୍ଷ ମାନଙ୍କରେ ତମାମ୍ ଓଡ଼ିଶା ବାତ୍ୟାର ସମ୍ମୁଖୀନ କରୁଥିବା ବେଳେ କେନ୍ଦ୍ରାପଡ଼ା ମଧ୍ୟ ଏଥିରୁ ପଡ଼ିନାହିଁ ବାଦ୍ ।୧୯୯୯ ମସିହା ବିଧ୍ୱଂଶି ମହାବାତ୍ୟା ପରେପରେ ,ସାତ ସାତୋଟି ଛୋଟ ବଡ ବାତ୍ୟାକୁ ସାମ୍ନା କରିସାରିଛି କେନ୍ଦ୍ରାପଡ଼ା।
ପ୍ରାୟ ପ୍ରତିବର୍ଷ ମେ ମାସ ନଚେତ୍ ଅକ୍ଟୋବର ମାସରେ ସମସ୍ତଙ୍କ ମନରେ ଭୟ ଆଣେ ବାତ୍ୟା।ଚଳିତ ବର୍ଷ ପୁଣି ସେଇ ଅକ୍ଟୋବର ମାସରେ ସମ୍ଭାବ୍ୟ ବାତ୍ୟା "ଦାନା" ଆସିବା ନେଇ ସତର୍କ କରିଛି ପାଣିପାଗ ବିଭାଗ।ସେଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସୂଚିତ କରାଯାଇଛି।
ଅକ୍ଟୋବର ଆସିଲେ ମାଡ଼ି ଆସେ ବାତ୍ୟାର ଭୟ।୧୯୯୯ ମସିହା ଅକ୍ଟୋବର ୨୯ରେ ଓଡ଼ିଶା କୁ ଆସିଥିଲା ମହାବାତ୍ୟା।ପ୍ରଭାବିତ ହୋଇଥିଲା ତମାମ ଉପକୂଳ ଓଡ଼ିଶା।କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ରଚିଥିଲା ବିଧ୍ଵଂଶକାରୀ ତାଣ୍ଡବଲୀଳା।ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଜିଲ୍ଲାର ସମସ୍ତ ୯ ଗୋଟି ବ୍ଲକ।ସେହି ବର୍ଷ ପରଠାରୁ ଅକ୍ଟୋବର ଆସିଲେ କେନ୍ଦ୍ରାପଡ଼ାବାସୀଙ୍କର ବାତ୍ୟା କଥା ପଡ଼ିଯାଏ ମନେ।
ପରବର୍ତ୍ତୀ ସମୟରେ ୨୦୧୩ ଅକ୍ଟୋବର ମାସରେ ଗୋପାଳପୁର ଠାରେ ମାଡ ହୋଇଥିଲା ଅତି ଭୀଷଣ ବାତ୍ୟା 'ଫାଇଲିନ୍'।ଏଥିରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିଲା ପ୍ରଭାବିତ। ଫାଇଲିନ ପ୍ରଭାବରେ ସରକାରୀ ଭାବେ ଜିଲ୍ଲାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ  ୫୧୭୯୮ଜଣ କୃଷକ ହୋଇଥିଲେ ସର୍ବସାନ୍ତ।ସେହିପରି ୨୦୧୪ ମସିହା ଅକ୍ଟୋବର ୧୨ରେ ବାତ୍ୟା 'ହୁଡୁହୁଡୁ' ଛୁଇଁଥିଲା ଓଡ଼ିଶା।ଏହାର ପ୍ରକୋପରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ହୋଇଥିଲା ପ୍ରଭାବିତ।ସରକାରୀ ଭାବେ ହୁଡୁହୁଡୁ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷି ଉପରେ ବିଶେଷ କିଛି ପ୍ରଭାବ ପଡ଼ିନଥିଲେ ମଧ୍ୟ ଦୁଇ ଜଣଙ୍କର ଯାଇଥିଲା ଜୀବନ।ସେମିତି ୨୦୧୯ ମଇ ୩ରେ ଲ୍ୟଣ୍ଡଫଲ୍ କରିଥିଲା ଅତ୍ୟନ୍ତ ପ୍ରଚଣ୍ଡ ବାତ୍ୟା 'ଫନି'।ଏହାଦ୍ବାରା ଜିଲ୍ଲାର ସମସ୍ତ ୯ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ସରକାରୀ ଭାବେ ୩ଜଣଙ୍କ ଜୀବନ ଯିବା ସହିତ ୩ଜଣ ହୋଇଥିଲେ ଆଘାତ ପ୍ରାପ୍ତ। ତେବେ ପୁଣି ସେଇ ୨୦୧୯ ନଭେମ୍ବର ୫ରେ ଓଡ଼ିଶା ଛୁଇଁଥିଲା ପ୍ରଚଣ୍ଡ ବାତ୍ୟା 'ବୁଲବଲ୍' ।ଏହି ବାତ୍ୟାର ପ୍ରକୋପରେ ମଧ୍ୟ ପ୍ରଭାବିତ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୯ଟି ବ୍ଲକର ବାସିନ୍ଦା।୨୦୨୦ ମେ ୧୬ରେ ଆସିଥିଲା ବାତ୍ୟା 'ଅମ୍ଫାନ୍'।ଏହି ବାତ୍ୟାରେ ଅନ୍ୟ ଉପକୂଳ ଜିଲ୍ଲା ମାନଙ୍କ ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୯ଗୋଟି ବ୍ଲକ ହୋଇଥିଲା ପ୍ରଭାବିତ। ସେହିପରି ୨୦୨୧ ମସିହାରେ ଓଡ଼ିଶା ଦେଖିଥିଲା ଦୁଇ ଦୁଇଟି ପ୍ରଚଣ୍ଡ ବାତ୍ୟା। ମେ ୨୩ରେ ବାତ୍ୟା 'ୟସ୍' ଓ ଡିସେମ୍ବର ୨ରେ ବାତ୍ୟା 'ଜୱାଦ୍'। ଉଭୟ ପ୍ରଚଣ୍ଡ ବାତ୍ୟାର ପ୍ରକୋପରେ ପ୍ରଭାବିତ ହୋଇଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ତମାମ ୯ଗୋଟି ବ୍ଲକ ଓ ଏହାର ଚାଷୀକୁଳ।ତେବେ ଖୁସିର ବିଷୟ ୨୦୨୨ ଓ ୨୦୨୩ ମସିହାରେ ବାତ୍ୟାର ଆଶଙ୍କା ଥିଲେ ମଧ୍ୟ ଓଡ଼ିଶା ଏଥିରୁ ବର୍ତ୍ତି ଯାଇଥିଲା।ଚଳିତ ବର୍ଷ ପୁଣି ସେଇ ଅକ୍ଟୋବର ମାସରେ ବାତ୍ୟାର ଭୟ ଦେଖା ଦେଇଛି।ପାଣିପାଗ ବିଭାଗର ଆକଳନ ଅନୁଯାଇ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ ।ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।