ଭାରତୀୟ ଜଳସେନା ଗୁପ୍ତତଥ୍ୟ ଲିକ୍ : ହନିଟ୍ରାପରେ ଫସି ୩ ଗିରଫ

 ନୂଆଦିଲ୍ଲୀ: ଭାରତୀୟ ଜଳସେନାର ଗୁପ୍ତତଥ୍ୟ ପଡ଼ୋଶୀ ଦେଶ ପାକିସ୍ତାନ୍କୁ ଦେଉଥିଲେ । ହନି ଟ୍ରାପରେ ଶିକାର ହୋଇ ତିନିଜଣ ବ୍ୟକ୍ତି ପାକ୍ ଗୁପ୍ତଚର ଭାବେ ଭାରତୀୟ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟକୁ ଆଇଏସ୍ଆଇକୁ ଦେଉଥିଲେ । ଦୀର୍ଘ ଦିନ ଧରି ଏହାର ତଦନ୍ତ ଚାଲିଥିବା ବେଳେ ଶେଷରେ ଏହାର ଖିଅ ପାଇଥିଲା ଜାତୀୟ ତଦନ୍ତକାରୀ ଦଳ (ଏନ୍ଆଇଏ) । ଆଜି ଏ ମାମଲାରେ ଏନ୍ଆଇଏ କର୍ଣ୍ଣାଟକରୁ ଦୁଇଜଣ ଏବଂ କେରଳରୁ ଜଣଙ୍କୁ ଗିରଫ କରିଛି । ଦୁଇଜଣ କର୍ଣ୍ଣାଟକ ଉତ୍ତର କନ୍ନଡ଼ ଜିଲ୍ଲାର ବେଥନ ଲକ୍ଷ୍ମଣ ତାଣ୍ଡେଲ ଓ ଅକ୍ଷୟ ରବିନାୟକ ହୋଇଥିବା ବେଳେ ଅଭିଳାଷ ପିଏ କୋଚିର ବୋଲି ଜଣାପଡ଼ିଛି । ଏହି ଘଟଣାରେ ମୋଟ ୮ ଜଣ ଜଡ଼ିତ ଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ତିନିଜଣଙ୍କୁ ଗିରଫ କରାଯାଇଥିବା ଏନ୍ଆଇଏ କହିଛି । କରୱାର ନାଭାଲ୍ ବେସ୍ ଏବଂ କୋଚି ନାଭାଲ ବେସ୍ରୁ ଏମାନେ ଭାରତର ଅତି ସମ୍ବେଦନଶୀଳ ତଥ୍ୟକୁ ପାକିସ୍ତାନକୁ ଦେଉଥିଲେ । ସୋସିଆଲ୍ ମିଡିଆରେ ଏମାନେ ପାକିସ୍ତାନ୍ ଇଣ୍ଟେଲିଜେନ୍ସ ଅପରେଟିଭ୍ସ (ପିଆଇଓ)ମାନଙ୍କ ସହ ଜଡ଼ିତ ଥିବା ବେଳେ ସାମାନ୍ୟ କେତେକ ଟଙ୍କା ପାଇଁ ଏହି ତିନିଜଣ ଦେଶର ଗୁପ୍ତତଥ୍ୟକୁ ଲିକ୍ କରିଥିବା ଏନ୍ଆଇଏ କହିଛି ।
ସୂଚନାଯୋଗ୍ୟ ଯେ, ଗୁପ୍ତତଥ୍ୟ ଲିକ୍କୁ ନେଇ ଜାନୁଆରୀ ୨୦୨୧ରେ ଭାରତର କାଉଣ୍ଟର୍ ଇଣ୍ଟେଲିଜେନ୍ସ ସେଲ୍ ପକ୍ଷରୁ ଆନ୍ଧ୍ରପ୍ରଦେଶରେ ପ୍ରଥମେ ମାମଲା ରୁଜୁ ହୋଇଥିଲା । ପରେ ୨୦୨୩ରେ ଏହାର ତଦନ୍ତଭାର ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା । ଏନ୍ଆଇଏ ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୁଇ ପଳାତକଙ୍କ ସମେତ ୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ସେମାନେ ହେଉଛନ୍ତି ପାକିସ୍ତାନର ମୀର୍ ବଲାଜ ଖାନ୍, ଆକାଶ ସୋଲଙ୍କି, ଆଲ୍ଭେନ୍ (ପିଆଇଓ ସଦସ୍ୟ), ମନମୋହନ ସୁରେନ୍ଦ୍ର ପଣ୍ଡା (ପିଆଇଓ ସଦସ୍ୟ) ଏବଂ ଅମନ୍ ସଲିମ ଶେଖ ।
ସେପଟେ ଅଗଷ୍ଟ ୨୦୨୪ରେ କରୱାର ନାଭାଲ୍ ବେସ୍ରୁ ଗୁପ୍ତତଥ୍ୟ ଲିକ୍ ମାମଲାକୁ ୨୦୨୩ ମାମଲା ସହିତ ମିଶାଇ ତଦନ୍ତ କରିଥିଲା ଏନ୍ଆଇଏ । ଏହାର ତଦନ୍ତ ପାଇଁ ଏନ୍ଆଇଏ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଯାଇଥିବା ବେଳେ ସେଠାରେ ଗୁପ୍ତତଥ୍ୟ ଚୋରି ହୋଇଥିବା ଜାଣିପାରି ବେଙ୍ଗାଲୁରୁରୁ ବେଥନ ଲକ୍ଷ୍ମଣ ତାଣ୍ଡେଲ ଓ ଅକ୍ଷୟ ରବିନାୟକକୁ ଗିରଫ କରିଥିଲା । ପଚରାଉଚରା ବେଳେ ସେମାନେ କହିଥିଲେ ଯେ, ୨୦୨୩ରେ ସେମାନେ ସୋସିଆଲ୍ ମିଡିଆ ଜରିଆରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂଯୋଗ ହୋଇଥିଲେ । କରୱାର୍ ନାଭାଲ୍ ବେସ୍ରେ ଭାରତୀୟ ଯୁଦ୍ଧପୋତଗୁଡ଼ିକର ସ୍ଥିତି ଏବଂ କେଉଁ ଜାହାଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯାଉଛି ସମେତ ପ୍ରତିରକ୍ଷା ଜନିତ ବିଭିନ୍ନ ତଥ୍ୟ ପ୍ରଦାନ ବିନିମୟରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ପାକ୍ ଏଜେଣ୍ଟ । ଆଉ ଦୁହେଁ ଏଥିରେ ରାଜି ହୋଇ ଅତିସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଥିଲେ । ସେହିଭଳି ଅଭିଳାଷ ପିଏ ମଧ୍ୟ ହନିଟ୍ରାପ୍ର ଶିକାର ହୋଇ କୋଚି ନାଭାଲ୍ ବେସ୍ରୁ ତଥ୍ୟ ଦେଇଥିବା ପଚରାଉଚରା ବେଳେ ପ୍ରକାଶ କରିଛି ।