କୁଟୁରା ମାରିବା ଅଭିଯୋଗରେ ୩ ଗିରଫ

 କେନ୍ଦୁଝର: ବଡବିଲ ରେଞ୍ଜ ସିଦ୍ଧମଠ ଜଙ୍ଗଲରେ କୁଟୁରା ମାରିବା ଅଭିଯୋଗରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୫ ତାରିଖ ଭୋର ସମୟରେ ସିଦ୍ଧମଠ ଜଙ୍ଗଲରେ ଏକ କୁଟୁରାକୁ ମାରି ଏହାର ମାଂସ କାଟି କରିବା ସହ ଏହାକୁ ରାନ୍ଧି ଖାଇବା ପାଇଁ ପ୍ରସ୍ତୁତ କରୁଥିବାବେଳେ ବନ ବିଭାଗ ଅତର୍କିତ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ କଟା ମାଂସ ଜବତ୍ କରିଥିଲା । ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ମଙ୍ଗଲ ମୁଣ୍ଡା ଏବଂ ଅନ୍ୟ ୨ଜଣ ସହଯୋଗୀ ଫାସ ପକାଇ କୁଟୁରା ମାରିଥିବା ବନ ବିଭାଗ ନିକଟରେ ସ୍ୱୀକାର କରିଛି । ସେମାନଙ୍କୁ ପଚରାଉଚୁରା ବେଳେ ଜଙ୍ଗଲ ଭିତରେ ମାରିଥିବା ସ୍ଥାନରୁ ରକ୍ତ ଭିଜା ମାଟି, କୁଟୁରା ଛାଲ, ଟାଙ୍ଗିଆ ଏବଂ ୨ଟି ଛୁରୀ ଜବତ୍ କରିଛନ୍ତି । ଗିରଫ ମଙ୍ଗଲ ମୁଣ୍ଡା(୫୦)ର ଘର ରୁଗୁଡି ଥାନା ଅନ୍ତର୍ଗତ କୋହ୍ଲରଡକଳା ଗ୍ରାମରେ ବୋଲି ଜଣାପଡିଛି । ଏହି ଘଟଣାରେ କୋହ୍ଲରଡକଳା ଗ୍ରାମର ସିଂଦୁ ମୁଣ୍ଡା(୨୩), ରେନଜନ ମୁଣ୍ଡା(୫୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଅପରାଧିମାନେ ପୂର୍ବରୁ ଅନେକ ଥର ଜଙ୍ଗଲରେ ପ୍ରବେଶ କରି ବନ୍ୟପ୍ରାଣୀ ଶୀକାର କରିଥିବା ସ୍ୱୀକାର କରିଛନ୍ତି । ଓଆର କେସ ନମ୍ବର ୧୨/ବିଏଲ ଅଫ୍ ୨୦୨୪-୨୫ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୩୯ ଏବଂ ୪୪ରେ ସେମାନଙ୍କୁ ଗିରଫ କରାଯାଇଛି । ବଡବିଲ ରେଞ୍ଜ ଗୁଆଲି ସେକ୍ସନ ଫରେଷ୍ଟର ଶରତ କୁମାର ପଟ୍ଟନାୟକ, ରୁଗୁଡି ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତି ରଞ୍ଜନ ସା ଓ ଅନ୍ୟ ସ୍କ୍ୱାର୍ଡ କର୍ମଚାରୀ ଚଢାଉ ସମୟରେ ସାମିଲ ଥିଲେ । ବଡବିଲ ଜେଏମ୍ଏଫ୍ସି କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।