ଅବହେଳିତ ପୁରାତନ ଗାନ୍ଧି ମାର୍କେଟ 

 କେନ୍ଦୁଝର : କେନ୍ଦୁଝରଗଡ ପୌରପାଳିକା ଅଧିନରେ ଥିବା ଗାନ୍ଧୀ ମାର୍କେଟ ଏବେ ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ଏହି ମାର୍କେଟରେ ଥିବା ଏକାଧିକ ଘର ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି । ସହ ଏହା ଯେ କୌଣସି ସମୟରେ ଭାଙ୍ଗି ପଡିବାର ସମ୍ଭାବନା ସୃଷ୍ଟି କରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଦୋକାନ ଘରକୁ ନୋଟିସ ସଂଖ୍ୟା ୫୭୯ ତା ୦୩.୦୨.୨୦୧୬ରେ ବିପଦସଙ୍କୁଳ ଘୋଷଣା କରାଯାଇଛି । ବିପଦ ସଙ୍କୁଳ ଘୋଷଣା ପରେ ୯ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଦୋକାନ ଘର ଗୁଡିକ ଚାଲିଛି । ଏପରକି ଘରଗୁଡିକୁ ନ ଭାଙ୍ଗି ପୌରପାଳିକା ପକ୍ଷରୁ ଘର ଭଡା ମଧ୍ୟ ଆଦାୟ ହେଉଛି । ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଘରଗୁଡିକୁ ଭାଙ୍ଗି ନୂତନ ଘର କରା ନଯାଇ କିପରି ଦୀର୍ଘ ବର୍ଷ ହେବ ଅସୁରକ୍ଷିତ ଭାବେ ଚାଲିଛି ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ଏହି ସ୍ଥାନରେ ୪୦ଜଣ କୁକୁଡା,ଖାସି ଏବଂ ମାଛ ଦୋକାନୀଙ୍କ ସମେତ ମୋଟ ୮୦ଜଣ ବ୍ୟବସାୟ କରୁଛନ୍ତି । ବର୍ତ୍ତମାନ ଏହି ମାର୍କେଟ କମ୍ପ୍ଲେକ୍ସକୁ ତୁରନ୍ତ ଭଙ୍ଗାଯାଇ ଆବଶ୍ୟକୀୟ ଭାବରେ ଅତ୍ୟାଧୁନିକ ଶୈଳୀରେ ମଲ୍ ନିର୍ମାଣ ସହିତ ଏହାର ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଯେ କୌଣସି ଦୁର୍ଘଟଣାକୁ ଏଡାଇ ହେବ ନାହିଁ ବୋଲି ମତପୋଷଣ ହୋଇଛି । ସଂପ୍ରତି କେନ୍ଦୁଝରଗଡ ପୌରପାଳିକା ଦ୍ୱାରା ଏହି ଗାନ୍ଧୀ ମାର୍କେଟ ନିୟନ୍ତ୍ରିତ ହେଉଥିବାବେଳେ ପୌରପାଳିକା କର୍ତ୍ତୃପକ୍ଷ ୧.୧୧.୨୦୨୦ ସୁଦ୍ଧା ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଥିରେ କୌଣସି ବ୍ୟତିକ୍ରମ ହେଲେ ୨.୧୧.୨୦୨୦ରେ ପୌର ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଇ ଉଚ୍ଛେଦ କରାଯିବ ବୋଲି ତତ୍କାଳୀନ ନିର୍ବାହୀ ଅଧିକାରୀ ଆଦେଶ କରିଥିଲେ । ଅତି ଅସ୍ୱାସ୍ଥ୍ୟକର ଏବଂ ପୂର୍ତ୍ତିଗନ୍ଧମୟ ପରିବେଶ ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସଟି ରହିଥିବାରୁ ଏହା ମଧ୍ୟକୁ ସାଧାରଣ ଲୋକେ ଯିବାକୁ ନାକ ଟେକୁଛନ୍ତି । ଅପରପକ୍ଷରେ ଏହା ଡେଙ୍ଗୁ ଓ ମ୍ୟାଲେରିଆ ମଶାଙ୍କ ପାଇଁ ଏକ ନିରାପଦ ସ୍ଥଳ ହୋଇଥିବାବେଳେ ବିପୁଳ ଅର୍ଥ ବ୍ୟୟ ସତ୍ତ ପୌରପାଳିକା ଏଠାରୁ ବିଶେଷ ରାଜସ୍ୱ ପାଇପାରୁନାହିଁ । ୧୯୮୫ ମସିହାରେ ୧ ଏକର ୧୨ ଡିସିମିଲ ଏକ ପୋଖରୀ ଏବଂ ପୋଖରୀ ଆଡିକୁ ପୋତାଯାଇ ତା’ ଉପରେ ଏହି ପୌରପାଳିକା ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଏବେ ଜରାଜୀର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ଏକ ଅତ୍ୟାଧୁନିକ ସପିଂ ମଲ୍ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନଥିଲା । ବର୍ତ୍ତମାନ ଏହି ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଏକ ଅତ୍ୟାଧୁନିକ ସପିଂ ମଲ୍ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ କରିବା ପାଇଁ ଦାବୀ ହେଉଛି । ଏ ନେଇ ପୌର ନିର୍ବାହୀ ଅଧିକାରୀ ଲଲିତ ନାୟକଙ୍କ ସହଯୋଗଯୋଗ କରିବାରୁ ଏହି ସ୍ଥାନଟି ଜଳାଶୟ ଦୁଇ ଏବଂ ପୋଖରୀ ଆଡି କିସମ ଥିବାରୁ ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ ହୋଇ ପାରୁନାହିଁ । ଏହି ସ୍ଥାନରେ ଜଳାଶୟ ନ ଥିବାରୁ ଜମିର କ୍ଲାସିଫିକେସନ ପରିବର୍ତ୍ତନ ପାଇଁ ସଦର ତହସିଲଦାରଙ୍କୁ ଚିଠି କରାଯାଇଛି । ଜମିର କ୍ଲାସିଫିକେସନ ପରିବର୍ତ୍ତନ ହେଲେ ଏହି ସ୍ଥାନରେ ଅତ୍ୟାଧୁନିକ ଶୈଳୀରେ ମଲ୍ କିମ୍ବା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ ।