ବେଆଇନ ପଥର ଉତ୍ତୋଳନ: ନିରବ ପ୍ରଶାସନ
ନୀଳଗିରି : ନୀଳଗିରି ତହସିଲ ବେଗୁନିଆ ପଥରଖାଦାନ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏହାସହ ପଥର ମାଫିଆମାନେ ବେଗୁନିଆ ପଥର ଖାଦାନକୁ ନିଜ କବ୍ଜାକୁ ନେଇ ବେଧଡକ ଓ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରୁଛନ୍ତି । ଦିନକୁ ଦିନ ବେଆଇନ ପଥର ଉତ୍ତୋଳନ ବୃଦ୍ଧି ପାଉଥିବାରୁ ସରକାରଙ୍କ ରାଜସ୍ୱ କ୍ଷତି ଘଟିବା ସହ ଅବାଧରେ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଠାରେ ଚୋରାରେ ବ୍ଲାଷ୍ଟିଂ ସହ ଏକାଧିକ ଆଦିବାସୀ ଶ୍ରମିକଙ୍କୁ ପଥର ଫଟା କାମରେ ମାଫିଆ ଲାଗାଇଛନ୍ତି । ଏହା ସହ ପାହାଡ଼ ଶିଖରରୁ ବଡ଼ ବଡ଼ ପଥର ସବୁ ତଳକୁ ଖସାଯାଉଛି । ତଳେ ଏହାକୁ ଫଟାଇ ମେଟାଲ କରାଯିବା ପରେ ସ୍ଥାନାନ୍ତର ହେଉଛି । ଏହି ପଥରଖାଦାନ ସରକାରୀସ୍ତରରେ ବହୁ ବର୍ଷ ଧରି ବନ୍ଦ ରହିଥିବାବେଳେ ବେଗୁନିଆ ପାହାଡ ସଂଲଗ୍ନ ରହିଥିବା କାଣ୍ଡି କାଣ୍ଡି ମେଟାଲକୁ ଦେଖିଲେ ଲାଗୁଛି ଯେପରି କେହି ଏହି ଖାଦାନକୁ ଲିଜ୍ ସୂତ୍ରରେ ନେଇ କରୁଛି । ମାତ୍ର ସରକାରୀ ନିୟମକୁ ମାଫିଆମାନେ ଖୋଲାଖୋଲି ଉଲ୍ଲଂଘନ କରି ପଥର ଉତ୍ତୋଳନ କରୁଛନ୍ତି । ଯାହାଦ୍ୱାରା ଅଞ୍ଚଳରେ ଜନବସତିର ଲୋକମାନେ ବିପଦସଂକୁଳ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ବେଆଇନ ପଥର ଉତ୍ତୋଳନ ବନ୍ଦ କରା ନ ଗଲେ ଧୀରେ ଧୀରେ ସବୁଜିମା ନଷ୍ଟ ହେଉଛି । ଏସବୁ ପ୍ରଶାସନର ଜାଣତରେ ହେଉଥିଲେ ମଧ୍ୟ ପ୍ରଶାସନ ଓ ଖଣି ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି ।