ଦୁଇ ଗିରଫ, ୧୫ ଲକ୍ଷ ଜବତ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବାହାଲଦା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଗତ ୨୦ ଫେବୃଆରୀ ୨୦୨୫ରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ବିହାରର ପାଟନାରୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି । ଅଭିଯୁକ୍ତଙ୍କ ନିକଟରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।
ସୂଚନା ଅନୁଯାୟୀ ୨୦ ଫେବୃଆରୀ ୨୦୨୫ ସକାଳ ସମୟରେ ପାଞ୍ଚଜଣ ଅଜଣା ଅପରାଧୀ ମୁହଁରେ ମାସ୍କ ଓ ହେଲମେଟ ପକାଇ ବାହାଲଦାସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଓ ଚାକୁ ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାସହ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଅପରାଧୀମାନେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଦୀ କରି ଷ୍ଟ୍ରଙ୍ଗ ରୁମ୍ରେ ରଖିଥିଲେ ଏବଂ ବ୍ୟାଙ୍କର ମୁଖ୍ୟ ଗେଟକୁ ବାହାରୁ ତାଲା ଲଗାଇ ଝାଡ଼ଖଣ୍ଡ ଆଡ଼କୁ ଫେରାର ହୋଇଯାଇଥିଲେ ।
ପୁଲିସ ଘଟଣାର ତଦନ୍ତ କରି ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିଦେ୍ର୍ଦଶରେ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରର ପାଟନା ଜିଲ୍ଲା ବାରହ ଥାନା ଅନ୍ତର୍ଗତ ସାହିଦପୁର, ଆଟନାମା ଗାଁର ରାଜୀବ ରଞ୍ଜନ (୫୨), ବିହାରର ଜେହାନାବାଦ ଜିଲ୍ଲା ଘାସି ଥାନା ଅନ୍ତର୍ଗତ ଶାହୋବିନ୍ଦା ଗାଁର ସନ୍ତୋଷ ଓରଫ ପ୍ରମୋଦ ବିନ୍ଦ (୩୩) । ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଘାଗିଡିହି କେନ୍ଦ୍ରୀୟ ଜେଲରୁ ମୁକୁଳିଥିବା ଜଣାପଡ଼ିଥିଲା । ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ପାଟନା ଗସ୍ତ କରି ବିହାର ସ୍ପଶାଲ ଟାସ୍କ ଫୋର୍ସ (ଏସଟିଏଫ) ସହାୟତାରେ ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିହାର, ଝାଡଖଣ୍ଡ ରେ ୧୩ରୁ ଉର୍ଦ୍ଧ ମାମଲା ରହିଛି । ଏସପି ଗୁଣ୍ଟୁପାଲି କହିଛନ୍ତି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଅନ୍ୟ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ରାୟରଙ୍ଗପୁର ଅତିରିକ୍ତ ଏସପି ଯଦୁନାଥ ଜେନା ଓ ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଛି ବୋଲି ପ୍ରକାଶ କରିଥିଲେ ।