ଲିଙ୍ଗିପୁରରେ ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ୱର/ବାଲିଅନ୍ତା: ‘ଅପରେସନ୍ ସିନ୍ଦୁର’ର ସଫଳତା ପାଇଁ ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଲିଙ୍ଗିପୁର ପଞ୍ଚାୟତର ନୂଆଗାଁ ଛକଠାରୁ ଝାଡୁମଲ୍ଲୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ସହିତ ପ୍ରାୟ ୨ କିଲୋମିଟର ଅଞ୍ଚଳ ଶୋଭାଯାତ୍ରା କରିଥିଲେ ।
ସୂଚନାଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସ ୧୭ ଓ ୧୮ ତାରିଖରେ ପଞ୍ଚାୟତ ସ୍ତରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଶୋଭାଯାତ୍ରାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ‘ଅପରେସନ୍ ସିନ୍ଦୁର’ର ସଫଳତା ପରେ ଏହି ତ୍ରିରଙ୍ଗା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ । ଆମ ଜାତୀୟ ପତାକା ହେଉଛି, ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ।
ସେ ପୁଣି କହିଥିଲେ, ଆମର ସେନାବାହିନୀର ବୀର ଯବାନମାନେ ଆମ ମା’ ଓ ଭଉଣୀମାନଙ୍କ ସିନ୍ଦୁରର ମର୍ଯ୍ୟାଦା ରଖିଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ସଲାମ୍ କରୁଛି । ମୋଦୀଜୀ କହିଛନ୍ତି ପ୍ରତ୍ୟେକ ଭାରତୀୟ ଶାନ୍ତି ଓ ସୁରକ୍ଷା ସହିତ ରହିବା ପାଇଁ ଭାରତବର୍ଷ ଶକ୍ତିଶାଳୀ ହେବା ଜରୁରୀ । ଆବଶ୍ୟକ ପଡ଼ିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ମଧ୍ୟ ଜରୁରୀ । ମୋଦୀଜୀ ଏହାକୁ ‘ଅପରେସନ୍ ସିନ୍ଦୁର’ରେ ପ୍ରମାଣିତ କରି ଦେଖାଇଛନ୍ତି । ସେ ପୁଣି କହିଥିଲେଯେ, ଆଜି ଦେଶର ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ୍ ହୋଇଛନ୍ତି । ତ୍ରିରଙ୍ଗା ଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି । ଏହି ଶୋଭାଯାତ୍ରାରେ ଏକାମ୍ର ବିଧାୟକ ବାବୁ ସିଂ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ନିରୂପମା ସାହୁ, ସ୍ଥାନୀୟ ସରପଞ୍ଚ କ୍ଷୀରୋଦ ପ୍ରଧାନ, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।