ବାଘ ଛାଲ ଜବତ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

 ନବରଙ୍ଗପୁର:  ୨୦୨୪ ନଭେମ୍ବର ୨୧ରେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ୱାଇଲଡ୍ ଲାଇଫ୍ ପ୍ରୋଟେକ୍ସନ୍ ଟିମ୍ ରାଇଘର ବ୍ଲକରୁ ଚିତାବାଘ ଚମଡ଼ା ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ ବାଘ ଛାଲ ବିକ୍ରି କରିଥିବା ଅଭିଯୁକ୍ତ ଫେରାର ଥିବାରୁ ବନ ବିଭାଗ ଧରି ପାରିନଥିଲା । ଫେରାର ଅଭିଯୁକ୍ତ ସୁଖା ଗଣ୍ଡଙ୍କୁ ବନ ବିଭାଗ ଟିମ୍ ରାଇଘର ଥାନା ବୋବେଇ ଗାଁରୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଏହି ମାମଲାରେ ୱାଇଲଡ୍ ଲାଇଫ୍ ପ୍ରୋଟେକ୍ସନ୍ ଟିମ୍ ରାଇଘର ବ୍ଲକ ଉଦୟପୁରର ଚମରା ଗଣ୍ଡ, ପଣ୍ଡରିପକନା ଗାଁର ମଙ୍ଗଳଦାସ ହରିଜନ ଓ ହାତୀବେଡ଼ା ଗାଁର ଖେଦୁରାମ ହରିଜନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚିତାବାଘ ଚମଡ଼ା ଜବତ କରିଥିଲା । ପଚରାଉଚରା ସମୟରେ ବାଘ ଚମଡ଼ା ୯୫ହଜାର ଟଙ୍କାରେ କିଣିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ।