ବିପଦସଂକୁଳ ଅବସ୍ଥାରେ ସହରର ବହୁ ପୁରୁଣା କୋଠା
କଟକରୁ ପ୍ରଣବ କୁମାର ନନ୍ଦୀ:
ସ୍ଥାନୀୟ ରାଣୀହାଟ ଅଞ୍ଚଳ ମାଳିସାହିରେ ଭାଗବତୀ ମାତାଙ୍କ ୭୦ବର୍ଷ ତଳର ପୁରୁଣା ଘରର ଛାତ ଗତ ଗୁରୁବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିବା ପରେ ପରିବାରର ସଦସ୍ୟମାନେ ସୌଭାଗ୍ୟ ବଶତଃ ରକ୍ଷା ପାଇଯାଇଥିଲେ । ଯଦିଓ ଗତ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁଁ ଛାତରେ ପାଣି ଜମା ହେବା ଓ ଛାତର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ଜଳ ନିଷ୍କାସନରେ ଅସୁବିଧା ଥିବାରୁ ଏହା ଭୁଷୁଡ଼ି ପଡ଼ିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ଗତ ୨୨ ଜୁଲାଇ ୨୦୨୨ରେ ଦେଉଳସାହିରେ ଥିବା ଏକ ସରକାରୀ ଆବାସିକ କ୍ୱାର୍ଟରର କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ କଟକ ମହାନଗର ନିଗମର ଜଣେ ସାନିଟାରୀ କର୍ମଚାରୀ ଡ୍ରେନ ସଫା କରୁଥିବା ସମୟରେ ସେତେବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ସେହିପରି ୨୫ ଜୁଲାଇ ୨୦୨୨ରେ ଓଡ଼ିଆ ବଜାରରେ ଥିବା ଏକ ପୁରୁଣା କୋଠା ଭୁଷୁଡ଼ି ପଡ଼ିଥିଲା । ଏଥିରେ ଘର ମାଲିକ ତୁସାନ୍ତ ମଣ୍ଡଳ ଓ ତାଙ୍କ ପରିବାରର ଅନ୍ୟ ୨ ସଦସ୍ୟ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଏହାଛଡ଼ା ମାଲଗୋଦାମରେ ଏକ ଘରର କାନ୍ଥରେ ଏୟାରକଣ୍ଡିସନ ଲଗାଉଥିବା ୨ଜଣ ବିଦୁ୍ୟତ କର୍ମଚାରୀ ପୁରୁଣା କାନ୍ଥ ଭୁଷୁଡ଼ି ପଡ଼ିବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ଗୁଡ଼ିକ ହଜାର ବର୍ଷ ଧରି ସହରରେ ବିପଦସଂକୁଳ ଅବସ୍ଥାରେ ଥିବା ପୁରୁଣା କୋଠା ଯୋଗୁଁ ବହୁ ଲୋକ ଅସୁରକ୍ଷିତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି । ଏସବୁ କୋଠା କୌଣସି ସମୟରେ ଭୁଶୁଡ଼ି ଯିବାର ଆଶଙ୍କା ରହିଛି । କିନ୍ତୁ ସିଏମସି ପକ୍ଷରୁ ଏହି ସବୁ ପୁରୁଣା କୋଠାର ଚିହ୍ନଟ କରାଯିବା ଓ ଭାଙ୍ଗିବା ପ୍ରକି୍ରୟା ଆରମ୍ଭ ନ କରିବା ସାଧାରଣରେ ଅଭିଯୋଗ ହେଉଛି । ସହରରେ ଅନେକ ପୁରୁଣା ଘରୋଇ କୋଠା, ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର ଓ କଲୋନୀ ରହିଛି । ବିଶେଷ କରି ପେନସନଲେନ, ନିମଚଉଡ଼ି, ବକ୍ସିବଜାର, ଝାଞ୍ଜିରିମଂଗଳା, ଫିରିଙ୍ଗିବଜାର, ଚୌଧୁରୀ ବଜାର ଅଂଚଳରେ ଅନେକ ପୁରୁଣା ଘର ଓ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଛି । ଏଠାରେ ଯଦି କୌଣସି ଅଘଟଣ ଘଟେ ତେବେ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ଏହି ପୁରୁଣା କୋଠଗୁଡ଼ିକୁ ଚିହ୍ନଟ କରି ଭାଙ୍ଗିଦେବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
ଉଲ୍ଲେଖ ଯେ, ୨୦୧୯ ମସିହାରେ ସିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ସହରର ପୁରୁଣା ଘରଗୁଡ଼ିକୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ କରିବାକୁ ଘୋଷଣା କରାଯାଇଥିଲା । ତଥାପି ୬ବର୍ଷ ପରେ ମଧ୍ୟ ସିଏମସି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ମହାନଗର ନିଗମ ଆଇନ ନିଦେ୍ର୍ଦଶାବଳୀ ଅନୁଯାୟୀ ଅସୁରକ୍ଷିତ କୋଠାଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତୁରନ୍ତ ସେଗୁଡ଼ିକୁ ଭାଂଗିବା ପାଇଁ ନିଦେ୍ର୍ଦଶ ଦେବା ସିଏମସିର କର୍ତ୍ତବ୍ୟ ବୋଲି ସହରର ଜଣେ ବରିଷ୍ଠ ଓକିଲ କହଛନ୍ତି । ଅପର ପକ୍ଷରେ ସିଏମସି ମେୟର ସୁବାସ ସିଂହ କହିଛନ୍ତି ଯେ, ଶୀଘ୍ର ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଅସୁରକ୍ଷିତ ନିର୍ମାଣ ଚିହ୍ନଟ କରିବା ପାଇଁ ସର୍ଭେ କରାଯିବ ଏବଂ ସେଗୁଡ଼ିକ ଭାଙ୍ଗତବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରାଯିବ ।