ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ
ବରଗଡ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ବର୍ଷା ଋତୁରେ ବନ୍ୟା, ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ସହ ଶୂନ୍ୟ ମୃତୁ୍ୟ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧକ୍ଷା ମାନିନୀ ଭୋଇ, ପୌରା ଅଧ୍ୟକ୍ଷା କଳ୍ପନା ମାଝୀ, ପଦମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସ୍ତରୀୟ ଅଧିକାରୀ, ଅଗ୍ନିଶମ,ଓଡ୍ରାଫ, ଜଙ୍ଗଲ ଓ ପରିବେଶ ଭିଭାଗ ଅଧିକାରୀ, ସମସ୍ତ ବିଡ଼ିଓ, ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବା, ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବା ଏବଂ ପାଣି ଜମିରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଲା ଗୁଡିକୁ ସଫା କରିବା, ସୁବ୍ୟବସ୍ଥିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ ,ପାଇପ ଜଳ ଯୋଗାଣ ,କୂପ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା, ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିସôାଳୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ,ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବା, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକସନ ଉପଲବ୍ଧ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।
ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବା, ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୂଡା, ଚାଉଳ, କିରୋସିନୀ, ଦିଆସିଲି, ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ପୌର ପରିଷଦ ଏବଂ ଏନଏସି ଅନ୍ତର୍ଗତ ସମସ୍ତ ୱାର୍ଡ, ବସ୍ତିରେ ଥିବା ନାଳ ଗୁଡିକୁ ଯଥାଶୀଘ୍ର ସଫେଇ କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେବା ସହ ସମ୍ଭାବ୍ୟ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ରଖିବା ଓ ଟୀକାକରଣ କରିବାକୁ ସିଡିଭିଓଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।
ବିଭଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଲୋକ ପ୍ରତିନିଧି ନିଦେ୍ର୍ଦଶ ଦେବା ସହ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ପ୍ରଚୁର ପରିମାଣର ଖାଦ୍ୟ, ଔଷଧ, ଓଆରଏସ ମହଜୁଦ ରଖି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟାଳୟ ,ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ସମସ୍ତ ବ୍ଲକ, ତହସିଲ ଓ ଜରୁରୀ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକରେ ଖୋଲାଯାଇଥିବା କଣ୍ଟ୍ରେ୍ରାଲ ରୁମ ଗୁଡିକୁ ସଠିକ ଭାବେ ପରିଚାଳନା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏତଦବ୍ୟତୀତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।