ବିହାରରୁ ସାଇବର ଠକ ଗିରଫ

 ଭୁବନେଶ୍ୱର  : ରାଜଧାନୀରେ ପେଟ୍ରୋଲ ପମ୍ପ ଖୋଲିବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୯ ଲକ୍ଷ ୯୭ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ବିହାରରୁ ଜଣେ ସାଇବର ଠକକୁ ଗିରଫ କରିଛି ସାଇବର ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନାମ ସତୀଶ କୁମାର (୨୪) ଓ ତାଙ୍କ ଘର ବିହାରର ନୱାଡା ଜିଲ୍ଲାର ଲାଲବିଗାରେ ବୋଲି ଜଣାପଡିଛି । ଏନେଇ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡାର ପ୍ଲଟ ନଂ ୨୫୩୮/୧୧୭୨୨ରେ ରହୁଥିବା ସାରଦା ପ୍ରସନ୍ନ ରାଉତରାୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗିରଫ ଅଭିଯୁକ୍ତ ଠାରୁ ପୁଲିସ ୧୫ ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଲାପଟପ ଏବଂ ବିଭିନ୍ନ ଠକେଇ ସଂକ୍ରାନ୍ତୀୟ କାଗଜପତ୍ର ଜବତ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଆବଶ୍ୟକତା ଏବଂ ପେଟ୍ରୋଲ ପମ୍ପ ଖୋଲିବାର ବ୍ୟସ୍ତତା ଦେଖାଇ ଅଭିଯୁକ୍ତ ସତୀଶ ତାଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବା ସହ ତାଙ୍କ ଠାରୁ ଚଞ୍ଚକତା କରି ୧୯ ଲକ୍ଷ ଟଙ୍କା ଠକି ନେଇଥିଲା ।  ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଇଣ୍ଡିଆଲ ଅଲଏ ନାଁରେ ଥିବା ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହିଥିବା ବେଳେ ପ୍ରକୃତରେ କିନ୍ତୁ ଉକ୍ତ ଆକାଉଣ୍ଟଟି ତାଙ୍କ ନାଁରେ ଥିବା ପରବର୍ତୀ ସମୟରେ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଏହି ମାମଲାର ଅଧିକ ତଦନ୍ତ ଚାଲୁଥିବା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।