ଭୁବନେଶ୍ବରରେ କୃତ୍ରିମ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସ ପର୍ୟ୍ୟନ୍ତ ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ଆଶଙ୍କା ରହିଛି। ସହରାଞ୍ଚଳରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାର କିପରି ମୁକାବିଲା କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି। ପୌରାଞ୍ଚଳରେ ଥିବା ଡ୍ରେନ୍‌ଗୁଡ଼ିକର ପଙ୍କ ଉଦ୍ଧାର କାର୍ୟ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଟକ, ଭୁବନେଶ୍ବର ସମେତ ଅନ୍ୟ ସହରାଞ୍ଚଳରେ କିପରି ସହରାଞ୍ଚଳ ବନ୍ୟା ପରିଚାଳନା ଠିକ୍ ଭାବେ ହେବ ସେଥିପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ୟ୍ୟକ୍ରମ ପ୍ରସ୍ତୁତ ହେବ। ଭୁବନେଶ୍ବରରେ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ବିଏମ୍‌ସି କର୍ତ୍ତୃପକ୍ଷ ୨୦୦କୋଟି ଟଙ୍କାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ଯେ ଓଡ୍ରାଫ୍‌କୁ ଏକ ଉତ୍ସର୍ଗୀକୃତ ବାହିନୀ କରାଯିବା ସହ ଏହାର ଆଉ ୧୦ୟୁନିଟ ନୂଆ ସୃଷ୍ଟି କରାଯିବ। ବିପର୍ୟ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି। ଏହା ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବର ଏଥିପାଇଁ ଆଉ ୨୦୦କୋଟି ଟଙ୍କା ବ୍ୟବସ୍ଥା କରାଯିବ। ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ୟ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୫ଟି ଆଞ୍ଚଳିକ ଅଗ୍ନିଶମ ସେବା ହବ୍ ତୁରନ୍ତ କାର୍ୟ୍ୟକ୍ଷମ ହେବ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।