ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ : କୁମ୍ଭୀର ସଂରକ୍ଷଣ ପାଇଁ ଓଡିଶା ମାର୍ଗଦର୍ଶକ: ଜଙ୍ଗଲମନ୍ତ୍ରୀ
ଭୁବନେଶ୍ୱର : ଜୁନ ୧୭ ତାରିଖ ହେଉଛି ଅନ୍ତର୍ଜାତୀୟ କୁମ୍ଭୀର ଦିବସ । ଏହି ଅବସରରେ ‘ଓଡ଼ିଶାରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ସମାରୋହ’ ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ସମାରୋହକୁ ଭିଡିଓ ବାର୍ତ୍ତା ଦେଇ ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ ଯେ, ଆମ ରାଜ୍ୟ ଓଡିଶା, ଭାରତରେ ଦେଖାଯାଉଥିବା ସମସ୍ତ କୁମ୍ଭୀର ପ୍ରଜାତି-ବଉଳା, ମଗର ଓ ଘଡିଆଳର ଏକ ମହତ୍ୱପୂର୍ଣ୍ଣ ଆବାସସ୍ଥଳୀ । ଦୀର୍ଘ ୫୦ ବର୍ଷ ଧରି ଆମ ରାଜ୍ୟ କୁମ୍ଭୀରମାନଙ୍କ ସଂରକ୍ଷଣ ପାଇଁ ଏକ ଉଚ୍ଚକୋଟୀର ମାର୍ଗଦର୍ଶକ ରୂପେ ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିପାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର "ଜଳ, ଜଙ୍ଗଲ ଓ ଜୀବଜନ୍ତୁ’ଙ୍କ ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ । ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପକୁ ଅଧିକରୁ ଅଧିକ ସଫଳ କରିବା ଆଜିର ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ । ଜଙ୍ଗଲ, ପରିବେଶ, ଏବଂ ଜଳବାୟୁ ପରିବର୍ତ୍ତନ ଅତ୍ତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ଆଜି ଆମେ କେବଳ ଏକ ସାଧାରଣ ଉସôବ ପାଳନ କରୁନାହୁଁ, ବରଂ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଏକ ଅଦ୍ୱିତୀୟ ଗୌରବୋଜ୍ଜ୍ୱଳ ଯାତ୍ରାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ । ସଙ୍କଟମୟ ପରିସ୍ଥିତିରେ, ୧୯୭୫ ମସିହାରେ ଭାରତ ସରକାର ଏବଂ ଜାତିସଂଘର ମିଳିତ ସହଯୋଗରେ ଓଡ଼ିଶାରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ୍ କୁମାର ଝା ସ୍ୱାଗତ ଦେଇଥିଲେ । ଏହି ଅବସରରେ ପ୍ରଖ୍ୟାତ କୁମ୍ଭୀର ବିଶେଷଜ୍ଞ ଡକ୍ଟର ଲାଲା ଅଶ୍ୱିନୀ କୁମାର ସିଂହ ଘରିଆଲ କୁମ୍ଭୀର ପାଇଁ, ଡକ୍ଟର ସୁଧାକର କର ଲୁଣିଆ କୁମ୍ଭୀର ପାଇଁ ଏବଂ ପ୍ରଫେସର ଡକ୍ଟର ସୁଦର୍ଶନ ମହାରଣାଙ୍କୁ ଘରିଆଲ ସଂରକ୍ଷଣ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଏବଂ ଅବଦାନ ପାଇଁ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ହାଇସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ, ଫଟୋଗ୍ରାଫି ଏବଂ ବିତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।