ଦାୟୀ କିଏ? ଅଶୋକ ନାଁ ବବି

୨୦୨୨ ମାର୍ଚରେ ଅନୁଷ୍ଠିତ ପୌର ନିର୍ବାଚନରେ ସାମିଲ ହେବାକୁ ଏକାଧିକ ବିଜେଡ଼ି ନେତା-ନେତ୍ରୀ ଗୋଡ଼ ଟେକି ରହିଥିଲେ । ସେମାନଙ୍କ ମଧ୍ୟରେ ପ୍ରାକ୍ତନ ପୈାରପାଳ/ପାଳିକା ରହିଥିଲେ । କିନ୍ତୁ ବ୍ୟାସନଗର ପୈାରପାଳିକା ଅଧ୍ୟକ୍ଷ ପଦଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଘୋଷିତ ହୋଇଥିଲା । ଏଣୁ ଆଶାୟୀଙ୍କ ଆଶା ଚୁରମାର ହୋଇଯାଇଥିଲା । ରାଜ୍ୟରେ କ୍ଷମତାଶୀନ ବିଜେଡ଼ି ସରକାର ବିରୁଦ୍ଧରେ ସଂରକ୍ଷଣକୁ ନେଇ ଅସନ୍ତୋଷ ଭିତରେ ଦଳୀୟ ନେତା ଏବଂ ସେ ସମୟରେ ବିଧାୟକ ଅଶୋକ ବଳ ପ୍ରାର୍ଥି ଖୋଜି ସଙ୍ଗୀତା ପିଙ୍ଗୁଆଙ୍କୁ ଚୟନ କରିଥିଲେ । ଏକଦା ସୁକିନ୍ଦାର ପ୍ରାକ୍ତନ ବିଧାୟକ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ଅନୁଗତ ବୋଲି କୁହାଯାଉଥିବା ସଙ୍ଗୀତା ବିଜେଡ଼ି ହାୱାରେ ପ୍ରଥମ ତଫସିଲ ଭୁକ୍ତ ଉପଜାତି ମହିଳା ଅଧ୍ୟକ୍ଷା ଭାବେ ୧୫ହଜାରରୁ ଅଧିକ ଭୋଟ ପାଇ ବାଜି ମାରିନେଲେ । ୨୬ୱାର୍ଡ଼ରୁ ୨ଟି ୱାର୍ଡ଼କୁ ଛାଡ଼ି ଦେଲେ ସଙ୍ଗୀତା ଅନ୍ୟ ୨୪ଟିରେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦିଙ୍କ ଠାରୁ ଅଧିକ ଭୋଟ ପାଇଥିଲେ । ଅତଏବ ପୌରବାସୀ ବିଜେଡ଼ି ଏବଂ ସଙ୍ଗୀତାଙ୍କୁ ପୈାର ବିକାଶର ମଙ୍ଗ ଧରାଇଥିଲେ । ସାଧାରଣ ବଦଳରେ ସଂରକ୍ଷଣ ପଛରେ କୋରେଇ-ଯାଜପୁର ବା ଅଶୋକ ବଳ-ପ୍ରଣବ ପ୍ରକାଶ ଦାସଙ୍କ ଭିତରେ ଛକାପଞ୍ଜା ରାଜନୀତିକୁ ସେସମୟରେ ଅନେକ ଦାୟୀ କରିଥିଲେ । ନାଁ ବିଜେଡ଼ି ସରକାର ଅଛି ନାଁ ଅଶୋକ କି ପ୍ରଣବ ବିଧାୟକ ଅଛନ୍ତି । ହେଲେ ଏବେ ଯେଉଁ କଥାଟି ବିଶେଷ ଆଲୋଚନା ହେଉଛି, ବ୍ୟାସନଗର ବିକାଶରେ ଯେଉଁ ଅଧୋଗତି ପରିସ୍ଥିତି ଉପୁଜିଛି, ସେଥିପାଇଁ ଦାୟୀ କିଏ? ସେସମୟର ବିଧାୟକ ଅଶୋକ ନାଁ ଏବର କୋରେଇ ବିଜେଡ଼ିର ଭଲମନ୍ଦ କଥା ବୁଝୁଥିବା ପ୍ରଣବ ବା ବବି । ଏକଥା ବି ବିଜେଡ଼ି ଏବଂ ଦଳୀୟ ପାରିଷଦଙ୍କ ମଧ୍ୟରେ ଆଲୋଚନା ହେଉଛି । କେହି କେହି ଅଶୋକଙ୍କ କାରଣରୁ ପୈାରପରିଷଦକୁ ଚିହ୍ନି ଜାଣିନଥିବା ଜଣଙ୍କ ମୁଣ୍ଡରେ କଳସ ଢାଳି ଦିଆଗଲା ବୋଲି କହୁଥିବା ବେଳେ କେହି କେହି ଯାଜପୁରର ପୂର୍ବତନ ବିଧାୟକ ବବିଙ୍କ ମହିଳା କୋଟା କାର୍ଡ଼ ନୀତିରୁ ଆଜି ବିଜେଡ଼ି ଅକଳରେ ପଡ଼ିଛି ବୋଲି କହୁଛନ୍ତି । ସତ କ’ଣ ତାହା ଅଶୋକ-ବବି କିମ୍ବା ବିଜେଡ଼ି ହାଇକମାଣ୍ଡଙ୍କୁ ଜଣାଥିବ ।