ଏଆଇ ନୂଆ ଶିଳ୍ପ ବିପ୍ଳବ : ଅଶ୍ୱିନୀ
ଭୁବନେଶ୍ୱର : ଭାରତୀୟ ଏକକ ପରିଚୟପତ୍ର ପ୍ରାଧୀକରଣ (ୟୁଆଇଡିଏଆଇ) ପକ୍ଷରୁ ଆଜି ନୂଆଦିଲ୍ଲୀରେ ଏକ ଦିନିକିଆ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ରାଜ୍ୟଗୁଡିକର ଅଂଶୀଦାର ଏବଂ ଇକୋସିଷ୍ଟମ ସହଭାଗୀମାନେ ଯୋଗ ଦେଇ ଆଧାର ବ୍ୟବହାର ଦ୍ୱାରା ସେବା ବିତରଣରେ ସୁଧାର ଆଣିବା ଲାଗି ଆଲୋଚନା କରିଥିଲେ । ସମ୍ମିଳନୀକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଥିଲେ । ୭୫୦ ଜଣ ବରିଷ୍ଠ ନୀତି ନିର୍ମାତା, ବିଶେଷଜ୍ଞ, ଟେକ୍ନୋକ୍ରାଟ୍, ସମ୍ପୃକ୍ତ କ୍ଷେତ୍ରର ନେତୃବର୍ଗ ଓ ପେସାଦାରମାନେ ଯୋଗ ଦେଇ ‘ଆଧାର’ କୁ ନେଇ ଆଲୋଚନା କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି କୃତ୍ରିମ ବୁଦ୍ଧିମତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ନୂଆ ଶିଳ୍ପ ବିପ୍ଳବ ଆଣିଛି । ‘ଆଧାର’ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)ର ମୂଳଦୁଆ । ସହଜ ଜୀବନଧାରଣରେ ଆହୁରି ଉନ୍ନତି ଆଣିବା ଉପରେ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ କହିଥିଲେ, ଆଧାର ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରୁଛି ଏବଂ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି । ଆଧାର ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ଗୋପନୀୟତାକୁ ସୁରକ୍ଷିତ ରଖେ ଏବଂ ପରିଚୟକୁ ପ୍ରମାଣିତ କରିଥାଏ ।
ଏହି ବୈଠକକୁ ସମ୍ବୋଧିତ କରି ସଚିବ ଡ. ସୌରଭ ଗର୍ଗ ଆଧାର ବ୍ୟବହାରର ସମ୍ପ୍ରସାରଣକୁ ସକ୍ଷମ କରିଥିବାରୁ ୟୁ.ଆଇ.ଡି.ଏ.ଆଇ.କୁ ପ୍ରଶଂସା କରିଥିଲେ ଏବଂ ଆଧାର ପ୍ରମାଣୀକରଣର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ । ୟୁ.ଆଇ.ଡି.ଏ.ଆଇ.ର ଅଧ୍ୟକ୍ଷ ନୀଳକଣ୍ଠ ମିଶ୍ର ଡିପିଆଇଗୁଡ଼ିକର ସମ୍ପ୍ରସାରଣରେ ଆଧାରର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଫେସ୍ ଅଥେଣ୍ଟିକେସନ ଅତ୍ୟନ୍ତ ସହାୟକ ହେଉଛି ଏବଂ ଏହା ଅଧିକରୁ ଅଧିକ ସୁଦୃଢ଼ ହେବାରେ ଲାଗିଛି । ୟୁ.ଆଇ.ଡି.ଏ.ଆଇ.ର ସି.ଇ.ଓ. ଭୁବନେଶ୍ୱର କୁମାର କହିଥିଲେ ଯେ, ଆଧାର ମୁଖମଣ୍ଡଳ ପ୍ରମାଣୀକରଣ ପରିଦୃଶ୍ୟର ପରିଚୟ ପାଲଟିଛି । ଟେକ୍ନୋଲୋଜି ଗ୍ରହଣ ହେଉ କିମ୍ବା ସେବା ପ୍ରଦାନ, ଆଧାର ଇକୋସିଷ୍ଟମ୍ ବ୍ୟାପକ ଭାବେ ବୃଦ୍ଧି ପାଇଛି ବୋଲି ନିଜ ଅଭିଭାଷଣରେ କହିଥିଲେ ।