ଚିକିତ୍ସା କରି ବି ଟଙ୍କା ପାଉନାହାନ୍ତି ହସ୍ପିଟାଲ : ଆୟୁଷ୍ମାନ କାର୍ଡର ସତ
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବେ ସଂକଟରେ । ଏହି ଯୋଜନା ମାଧ୍ୟମରେ ସରକାର ଦେଶର ୫୫ କୋଟି ଗରିବ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇଦେଇଥାନ୍ତି । ହେଲେ ଏବେ ଏହି ଯୋଜନା ବଡ଼ ଆର୍ଥିକ ସଂକଟରେ ପଡ଼ିଛି । ଭାରତୀୟ ଚିକିତ୍ସା ସଂଘ ଆଇଏମଏ ମୁତାବକ ଏହି କାର୍ଡ ଅଧିନରେ ଘରୋଇ ହସ୍ପିଟାଲ ଚିକିତ୍ସା କରାଉଥିଲେ ବି ଏପର୍ଯ୍ୟନ୍ତ ୧.୨୧ ଲକ୍ଷ କୋଟି ଟଙ୍କା ପାଇ ନାହାନ୍ତି । ଠିକ୍ ସମୟରେ ଘରୋଇ ହସ୍ପିଟାଲକୁ ଟଙ୍କା ମିଳୁନଥିବାରୁ ହସ୍ପିଟାଲଗୁଡିକ ଆୟୁଷ୍ମାନ କାର୍ଡ ଅଧିନରେ ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି । ଏନେଇ ଆଇଏମଏ ତରଫରୁ ଏକ ଶ୍ୱେତପତ୍ର ଜାରି କରାଯାଇଛି ।
ଶୁକ୍ରବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି କି, ଏହି ଯୋଜନାରେ ଏପର୍ଯ୍ୟନ୍ତ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମେଡିକାଲଗୁଡିକୁ ପ୍ରଦାନ କରାଯାଇଛି । ଏହାସହ ଏପର୍ଯ୍ୟନ୍ତ ୪୧ କୋଟି ହିତାଧିକାରୀ କାର୍ଡ ପାଇଛନ୍ତି । ସବୁଠାରୁ ଅଧିକ ୫.୩୩ କୋଟି କାର୍ଡ ଉତ୍ତରପ୍ରଦେଶରେ ବଣ୍ଟନ କରାଯାଇଛି । ଆୟୁଷ୍ମାନ ଯୋଜନାକୁ ଏପର୍ଯ୍ୟନ୍ତ ୩୧,୪୬୬ ମେଡିକାଲରେ ସାମିଲ କରାଯାଇଛି । ଏଥିମଧ୍ୟରୁ ୧୪ ହଜାରରୁ ଅଧିକ ଘରୋଇ ହସ୍ପିଟାଲ ରହିଛି । ଆଇଏମଏ କହିଛି କି, ଏହି ଯୋଜନା ଅଧିନରେ ଘରୋଇ ହସ୍ପିଟାଲମାନେ ଚିକିିତ୍ସା କରାଉଥିବା ବେଳେ ଅର୍ଥ ପାଇବାରେ ବିଳମ୍ବ ହେଉଛି । ଜଟିଳ ରୋଗର ଚିକିତ୍ସା ପାଇଁ ସରକାର କମ୍ ଟଙ୍କା ଦେଉଥିବାରୁ ତାହା ମଧ୍ୟ ଘରୋଇ ହସ୍ପିଟାଲ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଆଇଏମଏ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ୨୦୨୧-୨୩ ମଧ୍ୟରେ ଗୁଜରାଟରେ ୩୦୦ କୋଟି ଟଙ୍କା ହସ୍ପିଟାଲ ଗୁଡିକ ପାଇବାକୁ ଥିବା ବେଳେ ସରକାର ତାହା ପ୍ରଦାନ କରିନାହାଁନ୍ତି । କେରଳରେ ୪୦୦ କୋଟି । ଏହିଭଳି ଭାବେ ସାରା ଦେଶରେ ୬୪ ଲକ୍ଷ ମାମଲା ରହିଛି । ଯେଉଁଥିରେ ସରକାର ୬୪ ଲକ୍ଷ ଆବେଦନ ଉପରେ ୧.୨୧ ଲକ୍ଷ କୋଟି ଟଙ୍କା ସରକାରଙ୍କ ଉପରେ ବକେୟା ରହିଛି ।
ଆଇଏମଏ କହିଛି କି, ଏହି ଯୋଜନା ଅଧିନରେ ପ୍ୟାକେଜ୍ ରେଟ୍ ବହୁତ କମ୍ ରହିଛି । ଯାହା ବିଶେଷ ଭାବେ ଘରୋଇ ହସ୍ପିଟାଲରେ ଜଟିଳ ଅପରେସନ ଓ ଗୁରୁତର ଚିକିତ୍ସା ଖର୍ଚ୍ଚକୁ ପୂରା କରିପାରୁନି । ଏହାସହ ଆଇଏମଏ ସରକାରଙ୍କୁ କିଛି ପରାମର୍ଶ ଦେଇଛି । ସଂଘ କହିଛି କି, ଟଙ୍କା ପ୍ରଦାନ ପ୍ରକ୍ରିୟାକୁ ଅଟୋମେଟ କରିବା ଓ ରିୟଲ ଟାଇମ୍ ଟ୍ରାକିଂ ସିଷ୍ଟମ ଲାଗୁ କରିବାର ଆବଶ୍ୟକତା ରହିଚି । ଏହାସହ ପ୍ୟାକେଜ ରେଟକୁ ବାସ୍ତବ ରେଟ୍ ଅନୁସାରେ ସଂଶୋଧନ ସମୟ ଅନୁସାରେ କରିବାର ଆବଶ୍ୟକତା ରହିଛି ।